ବ୍ରହ୍ମପୁର:ଦୀର୍ଘ ଚାରି ବର୍ଷ ତଳେ କେଉଁଆଡେ ହଜି ଯାଇଥିବା ମହିଳାଙ୍କୁ ଖୋଜି ପାଇଛନ୍ତି ପରିବାର ବର୍ଗ । ନିଜ ମାଆକୁ ପୁଣି ପାଖରେ ପାଇ ପୁଅର ଆଖିରୁ ଝରି ପଡୁଛି ଧାର ଧାର ଲୁହ । ସେପଟେ ନିଜ ଧର୍ମପତ୍ନୀଙ୍କୁ ଖୋଜି ଖୋଜି ନୟାନ୍ତ ହୋଇଥିବା ସ୍ବାମୀ ପୁଣି ଥରେ ନିଜ ପତ୍ନୀଙ୍କୁ ଦେଖିବା ପରେ ନିଜ ଆଖିକୁ ବିଶ୍ବାସ କରିପାରୁନାହାନ୍ତି ଏବଂ ତାଙ୍କୁ ଛାତିରେ ଜାବୁଡି ଧରୁଛନ୍ତି । ବ୍ରହ୍ମପୁରର ବୈକୁଣ୍ଠନଗରସ୍ଥିତ ମିଶନ ଅପ୍ ଚାରିଟି ନର୍ମଦା ଶିଶୁଭବନରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଗୁଜୁରାଟ ଅହମ୍ମଦାବାଦର ଜଣେ ମାନସିକ ବିକୃତ ମହିଳା ବ୍ରହ୍ମପୁର ଚାଲି ଆସିଥିବାବେଳେ ଦୀର୍ଘ ଦିନ ପରେ ତାଙ୍କ ଖବର ପାଇ ମହିଳାଙ୍କୁ ନେବାକୁ ଓଡିଶାରେ ପହଞ୍ଚିଛନ୍ତି ପୁରା ପରିବାର ।
ସୂଚନାଯୋଗ୍ୟ, ଅହମ୍ମଦାବାଦ ସହରର ବିବେକାନନ୍ଦ ନଗରରେ ଅଟୋ ଚାଳକ ଦେବୀଦାସ ଭାଉସାରଙ୍କ ଘର । ଦୁଇ ପୁଅ ଓ ପତ୍ନୀ ମନୀଷାଙ୍କୁ ନେଇ ତାଙ୍କର ଥିଲା ହସଖୁସିର ସଂସାର । ହେଲେ ମାନସିକ ରୋଗରେ ଶିକାର ତାଙ୍କ ପତ୍ନୀ ହଠାତ୍ ଦିନେ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ସହରର ଗଳିକନ୍ଦି, ଥାନାଠୁ ଆରମ୍ଭ କରି ରେଳଷ୍ଟେସନ ସବୁଠି ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇନଥିଲେ । ଅନ୍ୟପଟେ ମହିଳା ଜଣକ ଟ୍ରେନ ଯୋଗେ ବ୍ରହ୍ମପୁର ସହରରେ ପହଞ୍ଚଥିଲେ । ସେ ମାନସିକ ବିକାରଗ୍ରସ୍ତ କାରଣରୁ କିଛି ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସହରର ଥିବା ନର୍ମଦା ଶିଶୁଭବନରେ ଛାଡିଥିଲେ । ସେଠାରେ ନିୟମିତ ଭାବରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମହିଳାଙ୍କୁ ଔଷଧ ଦିଆଯିବା ସହ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିଲା । ସେବେଠୁ ହିଁ ସମ୍ପୃକ୍ତ ମହିଳା ସେହି ଶିଶୁଭବନରେ ରହିଆସୁଥିଲେ ।