ବ୍ରହ୍ମପୁର:କମାଲ ଦେଖାଇଲେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ଛାତ୍ର । ଏହି ଛାତ୍ରମାନେ ଏକ ଇ-ୱେଷ୍ଟ ରୋବୋ ପ୍ରସ୍ତୁତ କରିଛନ୍ତି । ଯାହାକି ପ୍ରାୟ ୩ ଟନରୁ ଉର୍ଦ୍ଧ୍ଵ ଓଜନର ଇ-ଆବର୍ଜନାରୁ ପ୍ରସ୍ତୁତ କରାଯାଇଛି । ଇ-ୱେଷ୍ଟ ରୋବୋଟି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ । ବର୍ତ୍ତମାନ ଏହାକୁ ଆଇଟିଆଇ କ୍ୟାମ୍ପସ ପରିସରରେ ସହରବାସୀଙ୍କ ପାଇଁ ରଖାଯାଇଛି । ଏହା ଦେଶର ସବୁଠୁ ଲମ୍ବା ଇ-ୱେଷ୍ଟ ରୋବୋ ବୋଲି କୁହାଯାଉଛି ।
ଆଇଟିଆଇ ଶିକ୍ଷାନୁଷ୍ଠାନର ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ସ, ପେଣ୍ଟର ଭଳି ଟ୍ରେଡ୍ରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନେ ସେମାନଙ୍କ ତାଲିମଦାତାଙ୍କ ତତ୍ତ୍ଵାବଧାନରେ ଏଭଳି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଇଲେକ୍ଟ୍ରୋନିକ୍ସର ବିଭିନ୍ନ ବର୍ଜ୍ୟବସ୍ତୁ ଯଥା ପିସିବି, ପ୍ରିଣ୍ଟର, ପ୍ରିଣ୍ଟର୍ କାଟ୍ରିଜ୍, ରାମ୍, କମ୍ପ୍ୟୁଟର କି-ବୋର୍ଡ, ମାଉସ୍, ଅଦରକାରୀ ମନିଟର୍, ମୋବାଇଲ୍, ସିଡି ପ୍ଲେୟାର, ପୁରାତନ ଅଦରକାରୀ ଟିଭି, ଭିସିଆର୍ ଭଳି ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ସ ପରିତ୍ୟକ୍ତ ସାମଗ୍ରୀକୁ ନେଇ ଶିକ୍ଷାର୍ଥୀମାନେ ଇ-ୱେଷ୍ଟ ରୋବୋ ତିଆରି କରିଛନ୍ତି ।