ବ୍ରହ୍ମପୁର:ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ରହିଛି ପୁରପଲ୍ଲୀ । ସୁଉଚ୍ଚ ତୋରଣ ସହ ଝିଲମିଲ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ଘରେ ଘରେ ବ୍ରତ ରଖି ମା' ମହାମାୟୀଙ୍କ ଆରଧନା କରାଯାଉଛି । ତେବେ ଭାରତ ବର୍ଷରେ ଭାଷାଭାଷୀ ଭିତ୍ତିରେ ନବରାତ୍ର ପୂଜା ବିଧିରେ ସ୍ବତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ସେହିପରି ତେଲୁଗୁ ଭାଷାଭାଷୀ ସମ୍ପ୍ରଦାୟର ସ୍ବତନ୍ତ୍ରତା ହେଲା ବୋମନା କୁଲୁବୁ ପୂଜା । ନବରାତ୍ରୀ ସମୟରେ ବ୍ରହ୍ମପୁର ସହରର ପ୍ରତି ତେଲୁଗୁ ପରିବାରରେ ବୋମନା କୁଲୁବୁ ପୂଜା ପାଳନ କରାଯାଇଥାଏ ।
ମୁଖ୍ୟତଃ ଘରେ ରହିଥିବା ବହୁ ପୁରାତନ ଭଗବାନଙ୍କ ମାଟି କଣ୍ଢେଇ ଠାରୁ ଆରମ୍ଭ କରି ପ୍ଲାଷ୍ଟିକର ଭଳି ଭଳିକି ଭଳି ଦେବଦେବୀଙ୍କ କଣ୍ଢେଇକୁ ରଖି ଗୋଟିଏ ସ୍ଥାନରେ ପୂଜା କରିଥାନ୍ତି ଲୋକେ । ମା' ଦୁର୍ଗାଙ୍କ ସମେତ ସରସ୍ବତୀ, ଲକ୍ଷ୍ମୀଙ୍କ ଠାରୁ ଆରମ୍ଭ କରି ଭଗବାନ ଶ୍ରୀକୃଷ୍ଣ, ଶିବ ଇତ୍ୟାଦି ହିନ୍ଦୁ ଦେବାଦେବୀଙ୍କୁ ଏହି ସମୟରେ ପୂଜା କରାଯାଇଥାଏ । ଏହି ପୂଜାରେ ସାମିଲ ହେବା ପାଇଁ ତେଲୁଗୁ ପରିବାରରେ ବନ୍ଧୁ ପରିଜନଙ୍କ ସମାଗମ ହୋଇଥାଏ ।
ତେଲୁଗୁ ପରିବାର ନିଜ ଘରେ ବର୍ଷ ବର୍ଷ ଧରି ଥିବା ଦେବଦେବୀଙ୍କ ମାଟି, ପ୍ଲାଷ୍ଟିକ, ତୁଳା କପଡାରେ ପ୍ରସ୍ତୁତ ହୋଇଥିବା କଣ୍ଢେଇକୁ ଗୋଟିଏ ସ୍ଥାନ ସଜାଇ ରଖିଥାନ୍ତି । ଏହାପରେ ମିଳିମିଶି ପୂଜା କରନ୍ତି । ତେବେ ତେଲୁଗୁ ପରିବାରରେ ଏହି ବୋମନା କୁଲୁବୁ ପୂଜା କାହିଁ କେଉଁ କାଳରୁ ପୁରୁଷାନୁକ୍ରମିକ ଭାବରେ ହୋଇ ଆସୁଥିବା କୁହାଯାଏ ।