ବ୍ରହ୍ମପୁର:ବର୍ଷାପାଣିରେ ରାଜଧାନୀର ଡ୍ରେନରେ ଭାସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଏକ ଆଲୋଡନ ସୃଷ୍ଟି କରିଥିବାବେଳେ ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ସେମିତି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରେଶମ ସହର ବ୍ରହ୍ମପୁରରେ ଖାଲଖମା ରାସ୍ତା ସାଙ୍ଗକୁ ମୁକୁଳା ହୋଇ ପଡିଛି ଏକାଧିକ ଡ୍ରେନ । କିଛି ଡ୍ରେନର ମରାମତି ଚାଲିଥିବାବେଳେ କିଛି ଅଧାପନ୍ତରିଆ ଭାବେ ବିପଦ ସଙ୍କୁଳ ଅବସ୍ଥାରେ ପଡିଛି । ଯାହାକୁ ନେଇ ସହରବାସୀ ରାସ୍ତା ଚାଲିବାକୁ ମଧ୍ୟ ଭୟ କରିବା ସହ ମହାନଗର ନିଗମର କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।
ଏହି ବିପଦସଙ୍କୁଳ ଡ୍ରେନ କେବଳ ମଣିଷ କି ଗାଡିମୋଟର ନୁହେଁ ବୁଲା ଗାଈଗୋରୁଙ୍କ ପାଇଁ ମରଣାଯନ୍ତା । ଏପରିକି ସହରର ପୂର୍ବରୁ ସାମାନ୍ୟ ବର୍ଷାରେ ରାସ୍ତାଘାଟ କଳାର୍ଣ୍ଣବ ହୋଇପଡିବା ସହ ରାସ୍ତା ଓ ନାଳନର୍ଦ୍ଧମା ଏକାକାର ହୋଇଯାଉଥିବାରୁ କେଉଁଟି ରାସ୍ତା ଏବଂ କେଉଁ ସ୍ଥାନରେ ପାଣି ଜମିଛି ତାହା ଜାଣିବା କଷ୍ଟକର ହୋଇପଡୁଛି । ଏଥିପ୍ରତି ପ୍ରଶାସନ ସଜାଗ ନହେଲେ କୌଣସି ସମୟରେ ଅଘଟଣ ଘଟିପାରେ ଏଥିରେ ସନ୍ଦେହ ନାହିଁ।
ବର୍ଷବର୍ଷ ଧରି ସହରରେ ନାଳ ଓ ଜଳ ନିଷ୍କାସନ ସମସ୍ୟା ଲାଗି ରହିଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇ ନପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରି ସହର ସାରା ଯେଉଁଆଡ଼େ ଆଖି ବୁଲାଇବେ ସେଠାରେ ଘୋଡ଼ଣୀ ନଥିବା ମୁକୁଳା ନାଳ ସ୍ପଷ୍ଟ ଦୃଶ୍ୟମାନ । ଦୀର୍ଘଦିନ ଧରି ସହରର ପ୍ରେମନଗର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ କାମ ଅଧାରେ ଅଟକି ରହିଛି । ସିଟି ହାଇସ୍କୁଲ ପଡ଼ିଆ ସାମ୍ନାରେ ଡ୍ରେନକୁ ଲାଗି ରାସ୍ତା ନିର୍ମାଣ ପାଇଁ ଖୋଳି ଛାଡ଼ି ଦିଆଯାଇଛି । ଏପରିକି ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇରହିଥିବାରୁ ଦୟନୀୟ ରାସ୍ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାରିବାରେ ଲାଗିଛି ।