ବହ୍ମପୁର: ଗୋଳନ୍ଥରା ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଡି.ଆଇ.ଜି ସତ୍ୟବ୍ରତ ଭୋଇ । ସୋମବାର ବ୍ରହ୍ମପୁର ଉପକଣ୍ଠରେ ଥିବା ଏହି ଥାନା ପରିସରରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଯୁବକ ଜଣଙ୍କ ଆତ୍ମହତ୍ୟା କଲେ ତାହାର ପ୍ରାଥମିକ ତଦନ୍ତ କରିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଡି.ଆଇ.ଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସ୍.ପି ପିନାକ୍ ମିଶ୍ର ।
ଥାନାରେ ଯୁବକଙ୍କ ଆତ୍ମହତ୍ୟା: DIGଙ୍କ ତଦନ୍ତ, ଦୁଇ ପୋଲିସ କର୍ମଚାରୀ ନିଳମ୍ୱିତ ଏହାପୂର୍ବରୁ ଏହି ଘଟଣାରେ ଦାୟିତ୍ବ ଅବହେଳା ନେଇ ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଯୁବକ ଆତ୍ମହତ୍ୟା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ ଡି.ଏସ୍.ପି ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବେ। ଦାୟିତ୍ବରେ ଅବହେଳା ଦର୍ଶାଇ ଥାନର ASI ପି.ସି ଆଚାର୍ଯ୍ୟ ଓ ସେଣ୍ଟ୍ରି ଦାୟିତ୍ବରେ ଥିବା କନେଷ୍ଟବଳ ଡି.ପି ଜେନା ଙ୍କୁ ନିଲମ୍ବିତ କରାଯାଇଛି । ଏହି ମାମଲାରେ ଥାନାଧିକାରୀ ବାବୁଲି ନାୟକ ଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କୁ ଗୋଳନ୍ଥରା ଥାନା ଦାୟିତ୍ବ ପ୍ରଦାନ କରାଯାଇଛି । ଗୋଳନ୍ଥରା ଥାନା ପରିସରରେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ଗଣେଶ ଡାକୁଆ ବୋଲି ଜଣା ପଡ଼ିଛି । ରଙ୍ଗିପୁର ଗ୍ରାମର ପଞ୍ଚାୟତରେ ସେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଥାନାକୁ ନେଇ ଆସିଥିଲା । ତାଙ୍କୁ ମହିଳା ଓ ଶିଶୁ ଡେସ୍କରେ ରଖା ଯାଇଥିବା ସମୟରେ ସନ୍ଧ୍ୟାବେଳେ ସେ ବେକରେ ଏକ ବେଲ୍ଟ ଲଗାଇ ଝୁଲି ପଡ଼ିଥିଲେ ।
ପୋଲିସ କର୍ମଚାରୀମାନେ ଯୁବକଙ୍କୁ ଚିକିତ୍ସା କରିବା ପାଇଁ ଏମକେସିଜି ମେଡିକାଲକୁ ନେଇଥିବା ବେଳେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ।
ବ୍ରହ୍ମପୁରରୁ ସମୀର ରଞ୍ଜନ ଆଚାର୍ଯ୍ୟ, ଇଟିଭି ଭାରତ