ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ । ଜିଲ୍ଲାର କୋଭିଡ-୧୯ ମୁକାବିଲା ସଂପର୍କରେ କରିଛନ୍ତି ସମୀକ୍ଷା । ମୁଖ୍ୟତଃ କୋଭିଡ-୧୯ ସଂପର୍କିତ ନିୟମ ପାଳନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିବା ବେଳେ ଡ୍ୟୁଟି କରୁଥିବା ସମୟରେ କର୍ମଚାରୀ ମାନେ କିଭଳି ସଂକ୍ରମଣରୁ ରକ୍ଷା ପାଇପାରିବେ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ ମୁଖ୍ୟାଳୟରେ ଏହି ଅବସରରେ ଜିଲ୍ଲାର କୋଭିଡ-୧୯ ର ବର୍ତ୍ତମାନର ସ୍ଥିତି ବାବଦରେ ବିସ୍ତୃତ ଭାବରେ ଦକ୍ଷିଣାଞ୍ଚଳ ପୋଲିସ ଡି.ଆଇ.ଜି ସତ୍ୟବ୍ରତ ଭୋଇଙ୍କ ସମେତ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ବ୍ରହ୍ମପର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ କୁ ନେଇ ମହାନିର୍ଦ୍ଦେଶକ ପ୍ରଶଂସା କରିବା ସହ ପୋଲିସ କୁ ସହଯୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲାର ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏପରିକି ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ପୁଣି ନିଜର ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପୋଲିସର କର୍ତ୍ତବ୍ୟ ଓ ପ୍ରତିଜ୍ଞା କୁ ନେଇ ମହାନିର୍ଦ୍ଦେଶକ ଅଭୟ ଖୁସି ପ୍ରକାଶ କରିବା ସହ ପୋଲିସର ମନବଳ ଦୃଢ ରହିଥିବା ବେଳେ ଜିଲ୍ଲା ପାଇଁ ଆବଶ୍ୟକ ରହିଥିବା ଚାରି ପ୍ଲାଟୁନ୍ ଫୋର୍ସକୁ ପଠାଯିବ ବୋଲି କହିଛନ୍ତି । ଏହି ଅବସରରେ ଛତ୍ରପୁରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ବ ଅବଲମ୍ବନ ସହିତ କୋଭିଡ୍ -୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।