ବ୍ରହ୍ମପୁର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜ ମହିଳା ସଂଗଠନର ପୁର୍ନଗଠନ କରିଛି । ବୁଧବାର ବିଜେଡି ମହିଳା ସଂଗଠନର ନୂତନ କର୍ମକର୍ତ୍ତାଙ୍କ ନାମ ପ୍ରକାଶ ପାଇଛି । ବିଜେଡିର ଏହି ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ନାମ ସାମିଲ ରହିଛି । ମିନାକ୍ଷୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ନାଁ ମହିଳା ବିଜେଡି ତାଲିକାରେ ରହିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଏକ ପ୍ରେସ୍ ବିବୃତ୍ତିରେ ମୃତ ନେତ୍ରୀଙ୍କ ନାମ ରହିବାକୁ ହାସ୍ୟାସ୍ପଦ କହିଛନ୍ତି । ଅନ୍ୟପଟେ ବିଜେଡିର ଜୋନ୍ ସଭାନେତ୍ରୀ ମମତା ବିଷୋୟୀ ପ୍ରିଣ୍ଟିଙ୍ଗ୍ ତ୍ରୁଟି ଯୋଗୁଁ ଏପରି ହୋଇଥିବା ପ୍ରତିକ୍ରିୟା ଦେଇଛନ୍ତି ।
ବୁଧବାର ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ସମେତ ଜିଲ୍ଲା ସଭାନେତ୍ରୀ, ଜୋନ୍ ସଭାନେତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ୨୦୨୦ ଫେବୃୟାରୀ ମାସ ୧୨ ତାରିଖରେ ପ୍ରାଣ ହରାଇଥିବା ବ୍ରହ୍ମପୁରର ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ନାମ ପୁଣିଥରେ ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ରହିଥିବା ଦେଖିବାକୁ ମିଳିଥିଲା । ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନାମଗୁଡିକ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର ଦୁଇ ବର୍ଷ ପରେ ମିନାକ୍ଷୀ ମିଶ୍ରଙ୍କ ନାମ ତାଲିକାରେ ରହିବା ବିଜେଡି ମନମୁଖୀ ଭାବେ ଏହି ତାଲିକା ପ୍ରସ୍ତୁତ କରୁଥିବାର ସ୍ପଷ୍ଟ କରୁଛି ।