ଓଡିଶା

odisha

By

Published : Jul 21, 2019, 10:11 PM IST

ETV Bharat / city

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ପୁଣି ଫସିଛନ୍ତି ଜଣେ ସରକାରୀ ବାବୁ । ସରକାରୀ ଅଫିସର ଚାକଚମକ ତଳେ ନିଜ ନାମରେ ସେ ଯୋଡି ଚାଲିଥିଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ହେଲେ ଭିଜିଲାନ୍ସ ଆଗରେ ଧରା ପଡିଯାଇଛି ଏହି ସରକାରୀ ବାବୁଙ୍କ ସବୁ କାରନାମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପୁଣି ଫସିଛନ୍ତି ଜଣେ ସରକାରୀ ବାବୁ । ସରକାରୀ ଅଫିସର ଚାକଚମକ ତଳେ ନିଜ ନାମରେ ସେ ଯୋଡି ଚାଲିଥିଲେ କୋଟି କୋଟି ଟଙ୍କାର ସମ୍ପତ୍ତି । ହେଲେ ଭିଜିଲାନ୍ସ ଆଗରେ ଧରା ପଡିଯାଇଛି ଏହି ସରକାରୀ ବାବୁଙ୍କ ସବୁ କଳା କାରନାମା । ରବିବାର କଟକ ଭିଜିଲାନ୍ସ ସେଲର ଚଢାଉ ସମୟରେ ଧରା ପଡିଛି ବ୍ରହ୍ମପୁର ଡିଏଫଓଙ୍କ ଆୟ ବହିର୍ଭୂତ କୋଟି କୋଟି ଟଙ୍କାର ସମ୍ପତ୍ତି ।

ସୂଚନା ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ବ୍ରହ୍ମପୁର ଡିଏଫଓ ଆଶିଷ କୁମାର ବେହେରାଙ୍କ ସରକାରୀ ବାସଭବନ ସମେତ 9ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ । ଚଢାଉରେ ଡିଏଫଓଙ୍କ ପାଖରୁ ପ୍ରାୟ 2 କୋଟି 19 ଲକ୍ଷ 37 ହଜାର 165 ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌ ।

ସେଥିମଧ୍ୟରୁ ରାଜଧାନୀରେ 63 ଲକ୍ଷ 67 ହଜାର 500ଟଙ୍କାର ଥ୍ରି ବିଏଚ୍‌କେ ଫ୍ଲାଟ ଓ ଭୁବନେଶ୍ବର, ବ୍ରହ୍ମପୁର ଓ ଭଞ୍ଜନଗରରେ 68ଲକ୍ଷ 50 ହଜାର ଟଙ୍କାର 4ଟି ପ୍ଲଟ ରହିଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ 9 ଲକ୍ଷ 35 ହଜାର ଟଙ୍କା ଜମା ରହିଥିବା ସହ ବିଭିନ୍ନ ବୀମା କମ୍ପାନୀରେ 45 ଲକ୍ଷ 44 ହଜାର 405 ଟଙ୍କା ଜମା ରହିଛି ।

କେବଳ ସେତିକି ନୁହେଁ ଡିଏଫଓ ଆଶିଷ କୁମାର ବେହେରା 12 ଲକ୍ଷ 98 ହଜାର 960ଟଙ୍କାର ସୁନା ରୂପା ଅଳଙ୍କାର ରଖିଥିବା ଜଣା ପଡିଛି । ଏଥିସହ ଡିଏଫଓଙ୍କ ପାଖରେ 6ଲକ୍ଷ 50 ହଜାର ଟଙ୍କାର ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ-10 କାର ଥିବା ମଧ୍ୟ ଜଣା ପଡିଛି । ସେହିପରି ଚଢାଉ ସମୟରେ ଆଶିଷଙ୍କ ପାଖରୁ ନଗଦ 82ହଜାର ଟଙ୍କା ସମେତ 11 ଲକ୍ଷ 58 ହଜାର ଟଙ୍କାର ଘରୋଇ ଆସବାବପତ୍ର ରହିଥିବା ସ୍ପଷ୍ଟ ହୋଇଛି ।

ତେବେ ଭିଜିଲାନ୍ସ ଦ୍ବାରା ରାଜଧାନୀରେ ଥିବା ଡିଏଫଓଙ୍କ ମିନି ତ୍ରିଭୁବନ ଆପାର୍ଟମେଣ୍ଟ ସମେତ ବ୍ରହ୍ମପୁର କାର୍ଯ୍ୟାଳୟ, ଭଞ୍ଜନଗର ପୈତୃକ ବାସଭବନ, ଦିଗପହଣ୍ଡିସ୍ଥିତ ବନଖଣ୍ଡ ବିଭାଗ କାର୍ଯ୍ୟାଳୟ, ଖଲ୍ଲିକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ବ୍ରହ୍ମପୁର ବାସଭବନରେ ଚଢାଉ କରାଯାଇଥିଲା । ଚଢାଉ ପରେ ସମସ୍ତ ସମ୍ପତ୍ତିକୁ ଆକଳନ କରିବା ପରେ କୋଟିପତି ଡିଏଫଓଙ୍କୁ ଗିରଫ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details