ବ୍ରହ୍ମପୁର: ମୋ ସରକାର ସେଲ୍ ଭଳି ଗଞ୍ଜାମରେ କାର୍ଯ୍ୟକ୍ଷମ ହେବ କୋଭିଡ ପରିଚାଳନା କେନ୍ଦ୍ର । ଜିଲ୍ଲାର କୋଭିଡ ପରିଚାଳନା ନେଇ ଆୟୋଜିତ ବୈଠକରେ ଏଭଳି ବିଷୟକୁ ସ୍ଥିର କରାଯାଇଛି । କୋରୋନାର ପ୍ରଥମ ଲହର ସମୟରେ ପରିଚାଳନାର ଅଭିଜ୍ଞତା ଯୋଗୁଁ ଦ୍ବିତୀୟ ଲହର ସଂକ୍ରମଣ ରୋକିବା ଦିଗରେ ଅନେକ ସହାୟକ ହେବ ବୋଲି ବୈଠକରେ ଆଲୋଚନା କରାଯିବା ସହିତ ପ୍ରଥମ ସଂକ୍ରମଣ ସମୟରେ ଜିଲ୍ଲାକୁ ଯେଉଁଭଳି ଅଧିକ ସଂଖ୍ୟକ ପ୍ରବାସୀ ଫେରିଥିଲେ ସେହି ତୁଳନାରେ ଫେରିବେ ନାହିଁ । କାରଣ ଜୀବନ ଜୀବିକାକୁ ସରକାର ଗୁରୁତ୍ବ ଦେଉଛନ୍ତି । ତେଣୁ ବୃହତ୍ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ କରାଯାଇ ନାହିଁ । ଏଣୁ ପ୍ରବାସୀ ସଂଖ୍ୟା ଜିଲ୍ଲାରେ ସୀମିତ ରହିବ ।
ମୋ ସରକାର ସେଲ୍ ଭଳି କାର୍ଯ୍ୟକ୍ଷମ ହେବ କୋଭିଡ୍ ପରିଚାଳନା କେନ୍ଦ୍ର ମୋ ସରକାର ସେଲ୍ ଭଳି କାର୍ଯ୍ୟକ୍ଷମ ହେବ କୋଭିଡ୍ ପରିଚାଳନା କେନ୍ଦ୍ର କୋଭିଡ ପରିଚାଳନା କ୍ଷେତ୍ରରେ ଅସୁବିଧା ଦେଖାଯିବ ନାହିଁ । ତଥାପି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ଦିଗରେ ଗଞ୍ଜାମ ଜିଲ୍ଲାକୁ ପୂର୍ବ ପ୍ରସ୍ତୁତି କରି ରଖିବାକୁ ପଡିବ ଏବଂ ହଠାତ୍ ବହୁ ସଂଖ୍ୟକ ପ୍ରବାସୀ ପ୍ରତ୍ୟାବର୍ତ୍ତନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ସଦର ମହକୁମ୍ମା ଛତ୍ରପୁର ଠାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କର ପଞ୍ଜିକରଣ କରାଯାଇ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ସଂଗରୋଧ ରଖାଯାଇ ସେମାନଙ୍କ ପ୍ରତି ନଜର ରଖାଯିବ ବୋଲି କୁହାଯାଇଛି । ଆସନ୍ତାକାଲି ଠାରୁ ଘରକୁ ଘର ବୁଲି ପରିବାର ସଦସ୍ୟ ମାନଙ୍କ ତଥ୍ୟ ସଂଗ୍ରହ କରାଯିବ ।
ଉକ୍ତ ସମୟରେ ବ୍ଲକ୍ ସ୍ତରୀୟ କୋଭିଡ୍ ପରିଚାଳନା କେନ୍ଦ୍ର, ଜିଲ୍ଲା ସ୍ତରୀୟ କୋଭିଡ୍ ପରିଚାଳନା କେନ୍ଦ୍ର ଏବଂ ଟେଲି ମେଡିସିନ୍ ସେବା ଯୋଗାଯୋଗ ନମ୍ବର ପ୍ରଦାନ କରାଯିବ । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ସିଟି ହସ୍ପିଟାଲ୍ ଠାରେ ଜିଲ୍ଲା ସ୍ତରୀୟ ପରିଚାଳନା କେନ୍ଦ୍ର ଖୋଲାଯାଇଛି । କୋଭିଡ୍ ପରିଚାଳନା କେନ୍ଦ୍ରଟି 24ଘଣ୍ଟା ଚାଲିବ । ପ୍ରତି ୮ ଘଣ୍ଟାକୁ ଥରେ କାର୍ଯ୍ୟରତ କର୍ମଚାରୀ ସିଫ୍ଟ ଅନୁଯାଇ କାର୍ଯ୍ୟ କରିବେ । ସମସ୍ତ କଲ୍ ସେଣ୍ଟର ଗୁଡିକ ମୋ ସରକାର ସେଲ୍ ଭଳି କାର୍ଯ୍ୟ କରିବ । ସଙ୍ଗରୋଧରେ ରହିଥିବା ବ୍ୟକ୍ତି ବିଶେଷଙ୍କ ସହିତ ଟେଲିଫୋନ୍ ଯୋଗେ ଯୋଗସୂତ୍ର ରଖାଯିବ । କୌଣସି ଅସୁବିଧା ହେଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ।
ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବେ ସେହି ଅଞ୍ଚଳକୁ ଉପଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ମିନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ। କୁମ୍ଭମେଳାରେ ଯୋଗ ଦେବାକୁ ଯାଇଥିବା ବ୍ୟକ୍ତି ବିଶେଷଙ୍କ ତାଲିକା ଅନୁଯାୟୀ ତଦନ୍ତ କରି ସଙ୍ଗରୋଧରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ମନ୍ଦିର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ଜିଲ୍ଲାର ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି, ଏହି ସତର୍କତା ଓ ସଚେତନତା ନିମନ୍ତେ ରାତ୍ର ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ମାସ୍କ ପରିଧାନ ସହ ସମସ୍ତ ପ୍ରକାର ସଚେତନ ହେବାକୁ କୁହାଯାଇଛି । ବ୍ଲକ୍ ପିଛା ୫ ଗୋଟି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । କୋଭିଡ୍ ଚିକିତ୍ସା ସକାଶେ ଜିଲ୍ଲାରେ ଯଥେଷ୍ଟ ଔଷଧ ଓ ଅକ୍ସିଜେନ୍ ରଖାଯାଇଛି । ୧୭୦୦ ଗୋଟି ଅକ୍ସିଜେନ୍ ସହିତ ବେଡ ଓ ୨୫୦ ଗୋଟି ଆଇ.ସି.ୟୁ. ବେଡ୍ ପ୍ରସ୍ତୁତ ରହିଛି ।
ରୋଗୀଙ୍କୁ ସ୍ଥାନାନ୍ତର ସମସ୍ୟା ଯେପରି ହେବ ନାହିଁ, ସେଥିନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଛି । ସ୍କୁଲ ଗୁଡିକୁ ମଧ୍ୟ ପୂର୍ବ ପ୍ରସ୍ତୁତି କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅତି ଜରୁରୀ ହେଲେ ସେହି ସ୍ଥାନ ବ୍ୟବହାର କରାଯିବ । ଜିଲ୍ଲାରେ ୨୪ ଗୋଟି ସ୍ବାବ୍ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ଆର୍.ଟି.ପି.ସି.ଆର୍. ପରୀକ୍ଷା ଠିକ୍ ଭାବରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଟିକାକରଣକୁ ଗୁରୁତ୍ବ ଦେଇ ଟିକା ଯେପରି ଶତପ୍ରତିଶତ ବ୍ୟବହାର ହେବ ଏବଂ ନଷ୍ଟ ନହେବ ସେ ଦିଗରେ ଗୁରୁତ୍ବ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ , ଏମ୍. କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ