ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ସାରା ରାଜ୍ୟର ନଜର ରହିଥିବା ବେଳେ ଏହି ଅବସରରେ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ସଚିବ ଜି. ମାଥିଭାଥାନନ୍ ।
ରାଜ୍ୟର ଏହି ବୃହତ୍ତମ ଜିଲ୍ଲାର କୋଭିଡ୍ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ନୋଡାଲ ପ୍ରଶାସନିକ ଅଧିକାରୀ ଜି. ମାଥି ଭାଥାନନ୍ ଗୁରୁବାର ଗଞ୍ଜାମ ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏନେଇ ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କୋଭିଡ୍ 19 ପରିଚାଳନା ଗତ ସମସ୍ତ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ । ଏହାସହ ଜିଲ୍ଲାରେ କୋଭିଡକୁ ନେଇ ବର୍ତ୍ତମାନର ସ୍ଥିତି କିଭଳି ରହିଛି ଏବଂ ଦେଖାଦେଉଥିବା ସମସ୍ୟାକୁ କିପରି ପରିଚାଳନା କରାଗଲେ ଏହି ରୋଗ ସଂକ୍ରମଣକୁ ରୋକାଯାଇ ପାରିବ ସେନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ତେବେ ଏଯାବତ୍ ଗଞ୍ଜାମ ଜିଲ୍ଲାକୁ ସମୁଦାୟ 227ଟି ଟ୍ରେନରେ 127234 ଜଣ, ବସ୍ ଯୋଗେ 44382 ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ 45204 ଜଣ ଏହିପରି ସମୁଦାୟ 2 ଲକ୍ଷ 16 ହଜାର 820 ଜଣ ପ୍ରବାସୀ ଫେରିଛନ୍ତି । ସମସ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇ ମୋଟ 13,754 ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା । ବର୍ତ୍ତମାନ 12 ହଜାର 306 ଜଣଙ୍କ ସାମ୍ପଲ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ 1030 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିକିତ୍ସା ପରେ 729 ଜଣ ସୁସ୍ଥ ହୋଇ ଫେରିଛନ୍ତି । 239ଟି ଆକ୍ଟିଭ୍ କେସ୍ ରହିଛି । ଏହାସହ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।