ବ୍ରହ୍ମପୁର: ଗଞ୍ଜାମରେ କୋରୋନା ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ସରପଞ୍ଚମାନଙ୍କ ସହିତ ସିଧା ଆଲୋଚନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ 22 ଗୋଟି ବ୍ଲକର ସରପଞ୍ଚମାନଙ୍କୁ କୋରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି । ଗ୍ରାମ ପଞ୍ଚାୟତରେ ପରିଷ୍କାର ପରିଚ୍ଛନ୍ନତା ସହ ଜିଲ୍ଲାର ଯେଉଁ ଲୋକମାନେ ବାହାର ରାଜ୍ୟରେ ଅଟକିଛନ୍ତି ସେମାନଙ୍କୁ ଲକଡାଉନ ପରେ ଆସିବାକୁ କୁହାଯିବ ।
ବାହାରୁ କୌଣସି ଲୋକ ଗାଁକୁ ଆସିଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ । ଲକଡାଉନ ସମୟରେ ଚାଷ କାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ କୁକୁଡା ପାଳନ ପୂର୍ବ ପରି ଚାଲିବ । ପଞ୍ଚାୟତରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ସଜାଗ କରି ରଖାଯିବ । ଘର ଘର ବୁଲି ଯେଉଁ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଚାଲିଛି ସେଥିରେ ସହଯୋଗ ପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ ।
ଯାଞ୍ଚ ସମୟରେ ଯେଉଁମାନଙ୍କର ସାମାନ୍ୟତମ ଲକ୍ଷଣ ଦୃଷ୍ଟିଗୋଚର ହେବ ତାଙ୍କୁ ଡାକ୍ତରୀ ଦଳ ତୁରନ୍ତ ଭଲ ଭାବରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ । ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯିବ । ଯେଉଁମାନେ ପୋଖରୀରେ ଗାଧୋଉଛନ୍ତି ସେମାନଙ୍କୁ ନିବୃତ୍ତ କରିବା ପାଇଁ ସରପଞ୍ଚମାନେ ବିହିତ ଚେଷ୍ଟା କରିବେ । ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ । ପ୍ରତ୍ୟେକ ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ।