ବ୍ରହ୍ମପୁର: ଟାଟା କମ୍ପାନୀ ବିରୋଧରେ ଆସନ୍ତା ୧୬ରେ ଆନ୍ଦୋଳନ କରିବ ଉପଭୋକ୍ତା ସଂଘ । ଏନେଇ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ ଉପଭୋକ୍ତା ସଂଘର ସଭାପତି ଅଳିକିଶୋର ପଟ୍ଟନାୟକ ସୂଚନା ଦେଇଛନ୍ତି । ଟାଟା କମ୍ପାନୀର ବିଦ୍ୟୁତ୍ ଗ୍ରାହକଙ୍କୁ ଶୋଷଣ କରୁଛି । ରାଜ୍ୟ ସରକାର ଟାଟା ପାଓ୍ବାର ସଂସ୍ଥା ହାତରେ ସାଉଥରେ ୟୁଟିଲିଟ କୁ ୨୫ ବର୍ଷ ପାଇଁ ବିକ୍ରୀ କରି ଦେବା ପରେ ବିଦ୍ୟୁତ ସେବା ବ୍ୟାଘାତ ସୃଷ୍ଟି ହୋଇଛି । ଗୁଣାତ୍ମକ ବିଜୁଳି ଯୋଗାଣ ପରିବର୍ତ୍ତେ ଲୋ ଭୋଲଟେଜ , ଘନ ଘନ ବିଦ୍ୟୁତ କାଟ ଓ ମାସ ମାସ ଧରି ବିଦ୍ୟୁତ ବିଲ ଦିଆଯାଉ ନାହିଁ । ମନଇଚ୍ଛା ହଜାର ହଜାର ଟଙ୍କାର ମିଥ୍ୟା ବିଦ୍ୟୁତ ବିଲ୍ ମଧ୍ୟ ଦିଆଯାଉଛି । ଏଥି ସହ ଉପଭୋକ୍ତା ମାନଙ୍କର ଆପତ୍ତି ଅଭିଯୋଗ ଶୁଣାଣି ହେଉନାହିଁ ବରଂ ନାଲି ଆଖି ଦେଖାଇ ଧମକ ଦିଆଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଉପଭୋକ୍ତା ସଂଘ ।
ତେବେ ରାଜ୍ୟ ସରକାର କାହା ସ୍ବାର୍ଥରେ ବିଦ୍ୟୁତ୍ ପରି ଏକ ଅତ୍ୟାବଶ୍ୟକ ସେବାକୁ ଟାଟା ହାତରେ ସମର୍ପି ଦେଲେ । କୋଭିଡ୍ ଭଳି ମହାମାରୀରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ୬ ମାସ ମଧ୍ୟରେ ୟୁନିଟ୍ ପିଛା ୨୦ ରୁ ୩୦ ପଇସା କରି ଶୁଳ୍କ ବୃଦ୍ଧି କରିବା ପଛରେ ଏକମାତ୍ର ଉଦ୍ଦେଶ୍ୟକୁ ସୁନିଶ୍ଚ କରିଛି ଟାଟା କମ୍ପାନୀ । ଓଡ଼ିଶା ଏକ ବଳକା ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ, ତଥାପି ଓଡ଼ିଶାର ବିଦ୍ୟୁତ ଶୁଳ୍କ ପୋଡଶୀ ଆନ୍ଧ୍ର, ଛତିଶଗଡ଼ ରାଜ୍ୟର ଶୁଳ୍କ ଠାରୁ ବେଶି । ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମାଗଣାରେ ବିଦ୍ୟୁତ ଦିଆଯାଇଛି । ତାମିଲନାଡୁରେ ୧୦୦ ୟୁନିଟ୍ ମାଗଣା ବିଦ୍ୟୁତ କିନ୍ତୁ ଓଡିଶାରେ ବାରମ୍ବାର ଶୁଳ୍କ ବୃଦ୍ଧି କରାଯାଉଛି ।