ବ୍ରହ୍ମପୁର: ସତର୍କ ନହେଲେ 3ୟ ଲହର ଆଶଙ୍କା । ଗଞ୍ଜାମ ଜିଲ୍ଲାବାସୀ ସତର୍କତା ଏବଂ ସମ୍ପୂର୍ଣ୍ଣ ଟୀକାକରଣ ନହେଲେ ଆଗାମୀ ଦିନରେ 3ୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବନାହିଁ । ଜନସାଧାରଣଙ୍କ ଢିଲା ଓ ଖାମଖିଆଲି ମନୋଭାବ ପୁଣି ବିପଦ ଆଡକୁ ଟାଣି ନେବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ସମସ୍ତ ଅଧିକାରୀଙ୍କୁ ସତର୍କ କରାଇଛନ୍ତି ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ।
ଆଜି କୋଭିଡ ସ୍ଥିତି ସମୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫେରେନ୍ସ ବୈଠକରେ ଜ଼ିଲ୍ଲାପାଳଙ୍କ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ ଯେ, ଜ଼ିଲ୍ଲାରେ ଏପର୍ଯ୍ୟନ୍ତ 82 ପ୍ରତିଶତ ଲୋକେ ଟୀକା ଗ୍ରହଣ କରିଛନ୍ତି । ତେବେ ଏବେ ମଧ୍ୟ 18 ପ୍ରତିଶତ ଲୋକଙ୍କ ଟୀକାକରଣ ବାକି ରହିଛି । ଜ଼ିଲ୍ଲାରେ କେହି ଜଣେ ହେଲେ ବ୍ୟକ୍ତି ଟୀକାକରଣରୁ ବଞ୍ଚିତ ରହିବେ ନାହିଁ, ସେଥିପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଗଣ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ହେବ । ନଚେତ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ନୂଆ ପ୍ରଜାତିର ଭୁତାଣୁ ସଂକ୍ରମଣ ଓ ତୃତୀୟ ଲହରକୁ ଏଡାଯାଇ ପାରିବନାହିଁ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ ।
ସେହିପରି ଆଗାମୀ ଡିସେମ୍ବର ମାସ 15 ତାରିଖ ସୁଦ୍ଧା ଟୀକାକରଣରୁ ବଞ୍ଚିତ ଥିବା 18 ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଶେଷ କରିବା ସହ ଡାକ୍ତରମାନେ ଗଣ ଟୀକାକରଣକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ୍ନ କରନ୍ତୁ ବୋଲି କହିବା ସହ ହେଡକ୍ୱାର୍ଟର ଛାଡି ନଯିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ଗର୍ଭବତୀ ମହିଳା ଟିକାକରଣ ସୁନିଶ୍ଚିତ କରିବା ଦିଗରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜ଼ିଲ୍ଲା ସମନ୍ବିତ ଶିଶୁ ଓ ମହିଳା ବିକାଶ ଅଧିକାରୀ ନିଜ ସ୍ତରରେ ସମୀକ୍ଷା କରି ଟୀକାକରଣ ହ୍ରାସ ପାଇବାର କାରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।