ବ୍ରହ୍ମପୁର:ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ବ୍ରହ୍ମପୁର ସହରରେ ଥିବା ମହିଳା ଥାନା ପରିସରକୁ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ତଥା ଚାଇଲ୍ଡ ଫ୍ରେଣ୍ଡଲି ଥାନା ଭାବରେ ପରିଣତ କରାଯାଇଛି । ଏହି ଅବସରରେ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ଆଇ.ଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ।
ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ରଥମ ଚାଇଲ୍ଡ ଫ୍ରେଣ୍ଡଲି ଥାନା କୈାଣସି କାରଣରୁ ନିଜ ପରିବାର ସହ ଥାନାକୁ ଆସୁଥିବା ଶିଶୁଙ୍କ ପାଇଁ ଉତ୍ତମ ପରିବେଶ ତଥା ସେମାନଙ୍କ ମନରେ ଏକ ଆନନ୍ଦ ପ୍ରଦାନ ପାଇଁ ଭିନ୍ନ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ପରିକଳ୍ପନା କରାଯାଇଥିବା କୁହାଯାଇଛି । ମହିଳା ଥାନାକୁ କୌଣସି ଅଭିଯୋଗକାରୀଙ୍କ ସହ ଆସୁଥିବା ଶିଶୁମାନେ ମଧ୍ୟ ଏଭଳି ପରିବେଶ ପାଇପାରିବେ । ଏହି ନୂତନ କକ୍ଷରେ ଶିଶୁଙ୍କ ଖେଳିବା ସ୍ଥାନ ଓ ଖେଳନା ସହିତ ଶିଶୁଙ୍କ ନିମନ୍ତେ ସ୍ତନ୍ୟପାନ କରାଇବା ସ୍ଥାନ, ବିଶ୍ରାମସ୍ଥଳ, ସ୍ବତନ୍ତ୍ର ଶୌଚାଳୟ ଆଦି ଉପଲବ୍ଧ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ
ଏହି ଅବସରରେ ବନ୍ଦ ଷ୍ଟପ୍ ସେଣ୍ଟର୍ ,ଚାଇଲଡ୍ ଲାଇନ୍, ସିଡବ୍ଲୁସି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଦକ୍ଷିଣାଞ୍ଚଳ ଆଇ.ଜି ଓ ଆରକ୍ଷୀ ଅଧିକ୍ଷକ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସର୍ବଣ ବିବେକ ଏମ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନା ଥାଉକି, ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଛନ୍ତି ଅନେକ ପିଲା । ଏହା ସହ ଅନେକ ପିଲା ପୋଲିସ ସହାୟତା ଆବଶ୍ୟକତା କରୁଛନ୍ତି । ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା ରହିଛି । ଏହାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ରାଜ୍ୟର 34 ଜିଲ୍ଲା ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ ।
ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବ । ଏହା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ। ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ । ସାଧାରଣ ଥାନାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ଗଢ଼ାଯିବ । ଏହା ଦ୍ବାରା ଥାନାକୁ ଯାଉଥିବା ଶିଶୁମାନଙ୍କ ମାନସିକ ଚାପ ହ୍ରାସ କରିବାରେ ସହାୟକ ହେବବୋଲି ଆଶା କରାଯାଏ ।
ଇଟିଭି ଭାରତ, ବ୍ରହ୍ମପୁର