ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ (CAA) କୁ ସମର୍ଥନ କରି ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଏକ ବିଶାଳ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ରେଶମ ନଗରୀର କମାପଲ୍ଲୀ ଛକରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ବଲିଉଡର ଲୋକପ୍ରିୟ ଗାୟକ ତଥା କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।
ପରେ ଏହି ଶୋଭାଯାତ୍ରା ସହରର ଟାଟାବେଞ୍ଜ ଛକ, ସୁବାରାଓ ଛକ, ଖଲିକୋଟ କଲେଜ, ହନୁମାନ ବଜାର ଛକ, ସିଟି ହାଇସ୍କୁଲ ରୋଡ ଦେଇ ରାମଲିଙ୍ଗମ ଟ୍ୟାଙ୍କ ରୋଡ ଠାରେ ପହଞ୍ଚିବା ପରେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା। ଯେଉଁଥିରେ ଏହି ଦୁଇ ନେତାଙ୍କ ସମେତ ଦଳର ରାଜ୍ୟଶାଖା ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା, ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚ଼ରଣ ପତିଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।