ବ୍ରହ୍ମପୁର: କିଛି ଘଣ୍ଟା ମଧ୍ୟରେ ଯୋଡି ହୋଇଥାନ୍ତା ନୂଆ ସମ୍ପର୍କ । ଆତ୍ମୀୟଙ୍କ ଗହଣରେ ନୂଆ ବନ୍ଧୁଙ୍କୁ କୋଳେଇ ନେଇଥାନ୍ତେ ଦୁଇ ପରିବାର । ହେଲେ ଆଖିପିଛୁଳାକେ ସବୁକିଛି ହୋଇଗଲା ଓଲଟପାଲଟ । ଅଧାରାସ୍ତାରେ ମୃତ୍ୟୁର ଫାଶ ଧରି ‘ସିଲକ ସିଟି’ ବସକୁ ଜଗି ରହିଥିଲା 11 କେଭି ବିଦ୍ୟୁତ ତାର । 60 ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ବସିଥିବା ଅବସ୍ଥାରେ ଜୀବନ୍ତ ଦଗ୍ଧ ହୋଇଗଲେ 10 ଜଣ । ଆଉ ଏବେ ଆପଣାର ଲୋକଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟୁଛି ଗାଁ ଦାଣ୍ଡ ।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକର ଡଙ୍କଲପାଡୁ ଗ୍ରାମରୁ ସିଲକ ସିଟି ନାମକ ବସ ନିର୍ବନ୍ଧ ପାଇଁ ଚିକରଡ଼ା ଯାଉଥିଲା । ମନ୍ଦରାଜପୁର ଗ୍ରାମ ନିକଟ ମଝି ରାସ୍ତାରେ 11 କେଭିର ଏକ ବିଦ୍ୟୁତ୍ ତାର ଝୁଲୁଥିଲା । ଯାହା ସଂସ୍ପର୍ଶରେ ଆସି ଅଟକି ଯାଇଥିଲା ବସ । ବିଦ୍ୟୁତ୍ ଆଘାତ ଲାଗିବାରୁ ବସରେ ଥିବା 60ରୁ ଊର୍ଦ୍ଧ୍ବ ଯାତ୍ରୀ ଆଘାତ ପାଇଥିଲେ । ତନ୍ମଧ୍ୟରୁ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ 25 ଜଣ ଗୁରୁତର ହୋଇଥିବାବେଳେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏମକେସିଜିରେ ଭର୍ତ୍ତି କରାଯାଇଥିବା ଗୁରୁତରଙ୍କୁ ଦୃଷ୍ଟିରେ ରଖି ମୃତକ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ନେତା ଓ ବିଧାୟକ । ଗୁରୁତରଙ୍କୁ କଟକ ଏସସିବି ପଠାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ ।