ଓଡିଶା

odisha

ETV Bharat / city

ମା' ବୁଢୀ ଠାକୁରାଣୀଙ୍କ ପାଇଁ ମାନସିକଧାରୀଙ୍କ ବାଘ ନୃତ୍ୟ

ବାଜୁଛି ପାରମ୍ପାରିକ ବୀର ବାଦ୍ୟ । ଚାଙ୍ଗୁ ବାଜାର ତାଳେ ତାଳେ ମନଲୋଭା ନୃତ୍ୟ କରୁଛନ୍ତି ଏହି ମଣିଷରୂପୀ ବାଘ । ଏହା ଦେଖିବାକୁ ଯେତିକି ଭୟାନକ ସେତିକି ମଜ୍ଜାଦାର । ଲୋମ ମୁକ୍ତ ଚିତ୍ରିତ ଶରୀର,ମୁହଁରେ ବାଘ ମୁଖା, ହାତରେ ବାଜୁବନ୍ଧ ବାନ୍ଧି ନିଜ ଘରୁ ବାହାରି ମାଆଙ୍କ ଦର୍ଶନ କରିଥାନ୍ତି ଏହି ଚିତାକର୍ଷକ ବାଘ ।

By

Published : Apr 24, 2019, 1:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ବାଘନାଚ ଏବେ ବ୍ରହ୍ମପୁରର ମାଆ ବୁଢୀ ଠାକୁରାଣୀ ଯାତ୍ରାର ମୁଖ୍ୟ ଆକର୍ଷଣ । ଦୁଇ ବର୍ଷକୁ ଥରେ ମାଆଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗ୍ରାମର ଯୁବକ ମାନେ କିଛି ଦିନ ଧରି ଜାରି ରଖିଥାନ୍ତି ନୃତ୍ୟ ଅଭ୍ୟାସ ।

ତେବେ ଏହି ଯାତ୍ରାରେ ମାନସିକ କରିଥିବା ଯୁବକମାନେ ବାଘ ବେଶ ହୋଇ ନୃତ୍ୟ କରିଥାନ୍ତି । ଚାଙ୍ଗୁବାଦ୍ୟର ତାଳେ ତାଳେ ଖୁବ୍ ସୁନ୍ଦର ଭାବରେ ଏମାନେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥାଏ । ମାଙ୍କ ଏହି ବ୍ରତ ପାଳନ କରୁଥିବା ଯୁବକମାନେ ନିଷ୍ଠାର ସହ କେତେକ ନିୟମ ପାଳନ କରି ରହୁଥିବା ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ମୁଖ୍ୟତଃ ବୀର ବାଦ୍ୟର ତାଳେ ତାଳେ ନୃତ୍ୟ କରିବା ପୂର୍ବରୁ ଯୁବକମାନେ ନିଜର ସାରା ଶରୀରରୁ ଲୋମ ମୁକ୍ତ କରିବା ପରେ ବାଘର ରୂପ ଧାରଣ କରିଥାନ୍ତି । ଚାଙ୍ଗୁ ବାଜାର ତାଳେ ତାଳେ ମନଲୋଭା ନୃତ୍ୟ କରୁଥିବା ଏହି ମଣିଷରୂପୀ ବାଘ ଦେଖିବାକୁ ଯେତିକି ଭୟାନକ ସେତିକି ମଜ୍ଜାଦାର ।

ଏପରିକି ମାଆଙ୍କର ପ୍ରିୟ ବେଶ ଭାବରେ ବାଘ ବେଶ ରହିଥିବାରୁ ଅନେକ ଏହି ବେଶରେ ସଜ୍ଜିତ ହୋଇ ମାଆଙ୍କୁ ଦର୍ଶନ କରିବାକୁ ମାନସିକ କରିଥାନ୍ତି । ରେଶମ ସହରରେ ଏହି ବୁଢୀଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କାମ୍ପ ସାହିରେ ମାନସିକଧାରୀଙ୍କ ୧୧ ଟି ବାଘ ବେଶ ସମେତ ବିଭିନ୍ନ ସ୍ଥାନରୁ ବାହାରୁଥିବା ବାଘ ବେଶ ଅନ୍ୟତମ ଆକର୍ଷଣୀୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details