ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ପରିସ୍ଥିତି ଜଟିଳ ଆଡକୁ ଗତି କରୁଛି । ଏହି ସ୍ଥିତିରେ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଏହା ସହ ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦଳ ଦାବି କରିଛି ।
ସାରା ରାଜ୍ୟରେ କୋରୋନା ସଂକ୍ରମଣରେ ଜିଲ୍ଲା ସର୍ବାଗ୍ରେ ରହିଥିବା ବେଳେ ରାଜ୍ୟର ମୃତ୍ୟୁ ସଂଖ୍ୟାର ୭୫ ଭାଗ କେବଳ ଗଞ୍ଜାମ ଜିଲ୍ଲାରେ ହୋଇଛି । ତେବେ ଜିଲ୍ଲାରେ କୋରୋନା ମୁକାବିଲା କରିବାପାଇଁ ୧୯୨ ଜଣ କୋଭିଡ ୱାରିଅର ରହିଥିବା ବିଜେପି ଉଲ୍ଲେଖ କରିଛି । ଏହା ସହ ଜିଲ୍ଲାରେ କୋରୋନା ଯୋଦ୍ଧାମାନେ ବିପଦ ସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍ ଯୋଗାଇଦେବାକୁ ମଧ୍ୟ ଦଳ କହିଛି ।
ଜିଲ୍ଲାରେ ବର୍ତ୍ତମାନ ଗୋଟିଏ ଦୁଇ ଶହ ବେଡ ବିଶିଷ୍ଟ କୋଭିଡ୍ ହସପିଟାଲ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଏହା ଯଥେଷ୍ଟ ନଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଭଞ୍ଜନଗର, ଛତ୍ରପୁର, ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ କୋଭିଡ ହସପିଟାଲ କରାଯିବା ଆବଶ୍ୟକ ବୋଲି ଦଳ କହିଛି । ସେହିପରି ଲୋକମାନଙ୍କୁ ଅନ୍ଧାରରେ ନରଖି ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କରିବା ସହ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିବା, କେବଳ ଥର୍ମାଲ୍ ସ୍କିନିଙ୍ଗ ଛଡା ଅଧିକରୁ ଅଧିକ କୋରୋନା ଟେଷ୍ଟ କରାଯିବା, ଗଞ୍ଜାମର ପ୍ରାୟ ଅଣଓସାରିଆ ଘର ଯୋଗୁଁ ଗୃହ ସଙ୍ଗରୋଧ ସମ୍ଭବ ପର ନଥିବାରୁ ବିକଳ୍ପ ରହଣି ବ୍ୟବସ୍ଥା, ଜିଲ୍ଲାରେ ସୋରଲୋଜିକାଲ ଟେଷ୍ଟ ବ୍ୟବସ୍ଥା କରାଇବା ଓ ଅନ୍ୟପକ୍ଷରେ ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ ଆଦି ବିଭିନ୍ନ ଦାବି କରାଯାଇଛି ।