ବ୍ରହ୍ମପୁର: କମ ଖର୍ଚ୍ଚରେ ତିଆରି ହେଲା ଇ-ସାଇକେଲ । କିଛି ନୂଆ କରି କରିବାକୁ ଇଚ୍ଛା କରି ଇଣ୍ଟରନେଟର ସହାୟତାରେ ଇ-ସାଇକେଲ ତିଆରି କରିଛନ୍ତି ବ୍ରହ୍ମପୁର ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର । କଲେଜ ଶିକ୍ଷକଙ୍କ ପରାମର୍ଶ କ୍ରମେ ତିଆରି କରିଛନ୍ତି ଇ-ସାଇକେଲ ।
ରେଶମୀ ସହରର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ର ଆଦିତ୍ୟ ବେହେରାଙ୍କ କୃତିତ୍ବ । ଶିକ୍ଷାନୁଷ୍ଠାନର ଫିଟର ବିଭାଗରେ ଅଧ୍ୟୟନ କରୁଥିବା ଆଦିତ୍ୟ ବେହେରା ନିଜର ଦୁଇ ଶିକ୍ଷକଙ୍କ ପ୍ରେରଣାରେ ତିଆରି କରିଛନ୍ତି ଇ-ସାଇକେଲ । ଯାହାକୁ ତିଆରି କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିବାବେଳେ ଏହି ସାଇକେଲକୁ ଜଣେ 3 ଘଣ୍ଟା ରିଚାର୍ଜ କରି ୨୨ କିଲୋମିଟର ଯାତ୍ରା କରିପାରିବ ।
ଏପରିକି ଏହି ଇ-ସାଇକେଲ ଘଣ୍ଟାପ୍ରତି ୩୦ ରୁ ୩୫ କିଲୋମିଟର ଗତିରେ ଯାଇପାରିବ ବୋଲି କହିଛନ୍ତି ଆଦିତ୍ୟ । ଏହି ସାଇକେଲକୁ ତିଆରି କରିବାକୁ ଖର୍ଚ୍ଚ ହେଉଛି ମାତ୍ର 6 ହଜାର ଟଙ୍କା । ଏହି ସାଇକେଲରେ ଲାଗିଛି ଏକ୍ସିଲେରେଟର ଓ ଡାଇନାମୋ ସହ ଗୋଟିଏ ମୋଟର ।