ବ୍ରହ୍ମପୁର: ନିର୍ଭୟା ଘଟଣାର 4 ଅଭିଯୁକ୍ତଙ୍କୁ ଫାଶୀ ଦେବା ଘଟଣାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏଥିପାଇଁ ଚାରିଆଡେ ଏବେ ଫାଶୀ ଓ ତାହାର ପ୍ରକ୍ରିୟାକୁ ନେଇ ଚାଲିଛି ବିଚାର ବିମର୍ଶ । ତେବେ ଆପଣ ଜାଣନ୍ତି କି ଓଡିଶାର କେଉଁଠି ରହିଛି ଫାଶୀ ଦେବାର ବ୍ୟବସ୍ଥା? କଣ ରହିଛି ଏହାର ପ୍ରକ୍ରିୟା ? ଦେଖନ୍ତୁ ଏ ନେଇ ଇଟିଭି ଭାରତର ବିଶେଷ ରିପୋର୍ଟ ।
ଓଡିଶାର ଏକ ମାତ୍ର ଜେଲ ବ୍ରହ୍ମପୁରର ମଣ୍ଡଳ କାରାଗାର ରହିଛି । ଯେଉଁଠି ଗୋଟିଏ ଥରରେ 2 ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାର ବ୍ୟବସ୍ଥା ରହିଛି । ୧୯୪୨ ମସିହାର ଭାରତଛାଡ ଆନ୍ଦୋଳନ ବେଳେ ଅସାଧାରଣ ବିରତ୍ବ ସହ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇ କରିଥିବାରୁ ଆଦିବାସୀ ନେତା ଲକ୍ଷ୍ମଣ ନାୟକ ଙ୍କୁ ୧୯୪୩ ମାର୍ଚ୍ଚ ୨୯ ରେ ଏଠାରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହା ପରଠୁ ଏହି ଫାଶୀଖୁଣ୍ଟ ଏକ ପ୍ରକାର ଶାନ୍ତ ପଡିଯାଇଥିଲା । ୧୯୪୭ ମସିହାରେ ଦେଶ ସ୍ବାଧିନତା ପରଠୁ ୧୯୫୭ ମସିହା ମଧ୍ୟରେ କେହି ଫାଶୀ ପାଇଥିବାର ରେକର୍ଡରୁ ଜଣାପଡୁନଥିବା ବେଳେ ୧୯୫୮ ମସିହାର ମେ ୧୮ ତାରିଖରେ ଧନମତ ଗୁରୁ ନାମକ ୪୭ ବର୍ଷୀୟ ବ୍ୟକ୍ତିକୁ ବ୍ରହ୍ମପୁର ରେ ଫାଶୀ ଦିଆଯାଇଥିଲା ।
ସେହିପରି ୧୯୬୩ ମସିହାର ଜୁନ୍ ୨୯ ତାରିଖରେ ଅର୍ଜୁନ ଓରଫ ପୋଲକ ଡମ୍ବ ନାମକ ୨୨ ବର୍ଷୀୟ ଯୁବକଙ୍କୁ ଧାରା ୩୦୨ ଅନୁଯାୟୀ ଫାଶୀ ଦିଆଯାଇଥିବା ଜଣାପଡିଛି । ୧୯୬୮ ମେ ୧୮ ତାରିଖରେ ୩୭ ବର୍ଷୀୟ ମାଡକାମୀ ମଲ ଏବଂ ୧୯୭୧ ମସିହା ଅଗଷ୍ଟ ୩ ତାରିଖରେ ୪୩ ବର୍ଷୀୟ ରାଘବ ନାୟକ ଏବଂ ୧୯୯୪ ମସିହା ଜୁଲାଇ ୧୬ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ଟଙ୍ଗରଯୋଡା ଗ୍ରାମର ଲକ୍ଷ୍ମଣ ନାୟକଙ୍କୁ ଶେଷ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶରେ ନିଜ ଝିଆରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଏଠାରେ ଫାଶୀ ଦିଆଯାଇଥିବା ମଣ୍ଡଳ କାରଗାରର ରେକର୍ଡରୁ ଜଣାପଡେ ।