ବ୍ରହ୍ମପୁର: ଶିଳ୍ପାନୁଷ୍ଠାନ ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣା ପ୍ରତିରୋଧ ସଂପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ବିପର୍ଯ୍ୟୟ ଓ ରାସାୟନିକ ଦୁର୍ଘଟଣାରୁ ହେଉଥିବା ଜୀବନହାନୀକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ସଦର ମହକୁମ୍ମା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଆୟୋଜିତ ବୈଠକରେ ଗଞ୍ଜାମ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତର୍ଜାତୀୟ ଗଞ୍ଜାମ ଜିଲ୍ଲା ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସୁନାମ ରହିଛି । ତାସାଙ୍ଗକୁ କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ ଜିଲ୍ଲା ସଫଳତା ହାସଲ କରିଛି । ଜିଲ୍ଲା ପ୍ରଶାସନର ଟିମ୍ୱାର୍କ(Team Work) ଭାବେ କାମ କରି ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି । ଏହି କ୍ରମରେ କାରଖାନା ବାହାରେ ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଛୋଟ ବଡ କାରଖାନା ଗୁଡ଼ିକୁ ସମନ୍ଵୟ ରଖି କାମ କରିବାକୁ ବୈଠକରେ ଆହ୍ୱାନ କରାଯାଇଛି ।
ବିଗତବର୍ଷ ଗୁଡିକରେ ଜାତୀୟ ରାଜପଥରେ ଚାରି ଥର ଗ୍ୟାସ୍ ଟ୍ୟାଙ୍କର ଓଲଟି ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ ୫ ଜଣଙ୍କ ଜୀବନହାନୀ ହୋଇଥିବା ବେଳେ ଗ୍ୟାସ୍ ଟ୍ୟାଙ୍କର ଉଦ୍ଧାର କାର୍ଯ୍ୟ ପାଇଁ ଦୀର୍ଘ ସମୟ ଲାଗିଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାତାୟତ ଠପ୍ ହେବା ସହ ହଜାର ହଜାର ଯାନବାହନ ଅଟକି ରହୁଛି । ଜିଲ୍ଲାର ଓଡ୍ରାଫ୍, ଅଗ୍ନିଶମ ,ପୋଲିସ ଓ ପ୍ରଶାସନ ଅଧିକାରୀ ମାନେ ଲୋକଙ୍କୁ ସଚେତନତା କରିବା ବ୍ୟତୀତ ଏଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ ରୋକିବାରେ ସମ୍ଭବପର ହୋଇପାରିବେ ନାହିଁ । ଏଥିପାଇଁ ବୈଷୟିକ ଜ୍ଞାନ ସହିତ ବା ଟେକ୍ନିକାଲ ଟିମ୍ ସହ ଅନ୍ୟାନ୍ୟ ଯାବତୀୟ ସାମଗ୍ରୀର ଆବଶ୍ୟକତା ରହିଛି । ଏଣୁ ଏହିପରି ଦୁର୍ଘଟଣାକୁ ପ୍ରତିରୋଧ ଏବଂ ତୁରନ୍ତ ଉଦ୍ଧାର କରିବା ପାଇଁ ଆଇଓସିଏଲ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଏକ ଟେକ୍ନିକାଲ ଟିମ୍ ସହ ସମସ୍ତ ଯନ୍ତ୍ରପାତି ସହ ୨୪ ଘଣ୍ଟା କାମ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବୈଠକରେ ପରାମର୍ଶ ଦେଇଛନ୍ତି ।
ଏହାକୁ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ସଂଘ ପ୍ରତିଷ୍ଠାନ, ଆଇଓସିଏଲ୍ ସହ ସମନ୍ୱୟ ରଖି ପଦକ୍ଷେପ ନେବାକୁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରସ୍ତାବ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଏକ ଶିଳ୍ପ ଜିଲ୍ଲା ଏବଂ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲା ଦେଇ ଗତି କରିଛି । ଓଡ଼ିଶା ବାହାରୁ ଟ୍ୟାଙ୍କର ଯୋଗେ ଏମୋନିଆ ଭଳି ବିଭିନ୍ନ ବିଷାକ୍ତ ରାସାୟନିକ ଗ୍ୟାସ ଟ୍ୟାଙ୍କର ଯାତାୟତ ହୋଇଥାଏ । ସମ୍ଭାବ୍ୟ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ଜନସେଚତନତା ସହ ଶିଳ୍ପାଞ୍ଚଳ ଜନ ସାଧାରଣଙ୍କୁ ବ୍ୟାପକ ସତର୍କତା ଓ ସୁରକ୍ଷା ଅବଲମ୍ବନ ପାଇଁ ଶିଳ୍ପ ସଂସ୍ଥା ଗୁଡିକ ଜ୍ଞାନ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ଛୋଟ ବଡ କରି ୨୫ ଗୋଟି କାରଖାନା ରହିଛି ।