ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ସ୍ବଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ । ଏଥିନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୪ ଗୋଟି ଅପ୍ ଗ୍ରେଡେସନ୍ ହୋଇଥିବା ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁ ଥିବା କମିଟି ଦ୍ବାରା ଆଲୋଚନା ହୋଇଥିଲା ।
ସମସ୍ତ ଆଦର୍ଶ ବିଦ୍ୟାଳୟରେ ସ୍ମାର୍ଟକ୍ଲାସ୍ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ ପୋଲସରା ବ୍ଲକର ହାତୀଓଟ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀର ଫଳାଫଳ ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିବା ନେଇ ଜିଲ୍ଲାପାଳ ପ୍ରଶଂସା କରିଥିଲେ ଏବଂ ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ସେହିଭଳି ଫଳାଫଳ ଯେମିତି ହେବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷା ପ୍ରଦାନ କରିବାକୁ ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଉକ୍ତ ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ ।
ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ୍ ପ୍ରସ୍ତୁତ ହେବ । ବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇ ଉନ୍ନତମାନ ଶିକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଓ ସ୍ବଚ୍ଛତା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଅଧ୍ୟକ୍ଷ ଗଣ ବିଦ୍ୟାଳୟର ମୁଖ୍ୟ । ଏମାନେ ବିଦ୍ୟଳୟର ଉନ୍ନତି ଦିଗରେ ଚେଷ୍ଟା କରିବା ସହିତ ଉତ୍ତମ ଚରିତ୍ରବାନ ଛାତ୍ର ଗଠନ ଦିଗରେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଶିକ୍ଷକଗଣ ପାଠପଢା ସମୟ ବ୍ୟତୀତ ଅନ୍ୟ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ପ୍ରଥମେ ଶୌଚାଳୟର ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ । ତେବେ ଯାଇ ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଗଣ ଅନୁପ୍ରାଣୀତ ହୋଇ ଉକ୍ତ କାର୍ଯ୍ୟକୁ ଘୃଣ୍ୟ ମନେ ନକରି ନିଜେମଧ୍ୟ ସଫେଇ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ ।
ଉପସ୍ଥିତ ଅଧ୍ୟକ୍ଷ ଗଣ ନିଜ ନିଜ ବିଦ୍ୟାଳୟରେ ରହିଥିବା ସମସ୍ୟା ମାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ଏସ୍. ଏସ୍. ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ତପନ କୁମାର ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ