ବ୍ରହ୍ମପୁର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଗସ୍ତ କରିଛନ୍ତି । ବ୍ରହ୍ମପୁର କନିଷି ନିକଟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଜ ସେଣ୍ଟରର ନୂତନ ଛାତ୍ରାବାସ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ ପାଇଁ ରାଜ୍ୟ ଜମି ଉପଲବ୍ଧ କରାଇଲେ କେନ୍ଦ୍ର ସରକାର ନିର୍ମାଣ ଦାୟିତ୍ବ ନେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବ୍ରହ୍ମପୁରରେ ନିର୍ମାଣ ହେବ ବିମାନବନ୍ଦର: ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି ରହିଛି । ରାଜ୍ୟ ସରକାର ଏଥିପାଇଁ ଜମି ଉପଲବ୍ଧ କରାଇଲେ ବ୍ରହ୍ମପୁରରେ ଏୟାରପୋର୍ଟ ନିର୍ମାଣ କରିବାର ଦାୟିତ୍ବ ମୋଦି ସରକାର ନେବେ । ଏହା ଦ୍ବାରା ଗଞ୍ଜାମ ଜିଲ୍ଲା ଲୋକମାନେ ବିଶେଷ ଭାବରେ ଉପକୃତ ହେବା ସହ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ଆହୁରି କହିଛନ୍ତି, ବିମାନବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମୋଦି ସରକାର ଓଡ଼ିଶାକୁ ବିପୁଳ ଅନୁଦାନ ଦେଉଛନ୍ତି । ମାଗଣା କୋଭିଡ୍ ଟିକାକରଣର ବ୍ୟବସ୍ଥା ହୋଇଛି । କୋରୋନା ସମୟରେ ବାହାରେ କାମ କରୁଥିବା ଗଞ୍ଜାମ ଲୋକଙ୍କୁ ଫେରାଇ ଆଣିବା ତଥା ବିଦେଶରେ ଫସି ରହିଥିବା ପ୍ରବାସୀ ମାନଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ । ମୋଦି ହୈ ତ ମୁମକିନ୍ ହୈ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ବଚ୍ଛ ଭାରତରେ ଶୌଚାଳୟ, ସୌଭାଗ୍ୟରେ ବିଜୁଳି, ଜଳ ଜୀବନ ମିଶନରେ ପାଇପ ଯୋଗେ ଘରକୁ ପାଣି, ଉଜ୍ବଳାରେ ଗ୍ୟାସ, ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, କରୋନା ସମୟରେ ଜନଧନରେ ଟଙ୍କା, ମୁଦ୍ରା ଯୋଜନାରେ ଋଣ, ପିଏମ ସମ୍ମାନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ମୋଦି ସରକାରରେ ବିକାଶର କାମ ବାସ୍ତବର ରୂପ ନେଇଛି । ଏଥିପାଇଁ ସାଢ଼େ 4 କୋଟି ଓଡ଼ିଆଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଇଟିଭି ଭାରତ, ବ୍ରହ୍ମପୁର