ବ୍ରହ୍ମପୁର: ଭଡା ଘରେ ଚାଲିବ ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ । ଏନେଇ ସରକାର ବି ଦେଇସାରିଛନ୍ତି ଗ୍ରୀନ ସିଗନାଲ । ତେବେ ଅପେକ୍ଷା କେବଳ ବିଶ୍ବବିଦ୍ୟାଳୟର ସ୍ଥାନାନ୍ତରକୁ । 2015ରେ ରାଜ୍ୟର ପୁରାତନ ଖଲ୍ଲିକୋଟ ସ୍ବଂୟ ଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ପ୍ରଥମ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ସେହିପରି ଏସ୍.ଭି.ଆର୍ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ଗୋପାଳପୁର ମହାବିଦ୍ୟାଳୟକୁ ନେଇ ଆରମ୍ଭ ହୋଇଥିଲା ଏହି ବିଶ୍ବବିଦ୍ୟାଳୟ ।
ଏଥିପାଇଁ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ପାଲୁର ହିଲ ନିକଟରେ କରାଯିବା ସହ ପ୍ରଥମ ପର୍ଯ୍ୟାୟ ପାଇଁ ୨୦ ଏକର ଜମି ପ୍ରଦାନ ହୋଇଥିଲା । ତେବେ ବିଶ୍ବବିଦ୍ୟାଳୟ ସ୍ଥାପନ ହେବା ପର୍ଯ୍ୟନ୍ତ ଏହା ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପରିଚାଳିତ ହେବ । ଯାହାକୁ ଦ୍ବିତୀୟ କ୍ୟାମ୍ପସ କୁହାଯାଉଥିଲା । ହେଲେ ଇତି ମଧ୍ୟରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ 4 ବର୍ଷ ବିତିଯାଇଛି । କିନ୍ତୁ ଆଜି ବି କ୍ଲଷ୍ଟର ବିଶ୍ବବିଦ୍ୟାଳୟର ନିଜସ୍ବ ଭିତ୍ତିଭୂମି ସ୍ଥାପନ ହୋଇପାରିନାହିଁ ।