ଭୁବନେଶ୍ବର/ବ୍ରହ୍ମପୁର : ସାରା ଦେଶରେ କୋରୋନା ଭୂତାଣୁ କାୟା ରୋକିବାକୁ ଜାରି ରହିଛି ଲକଡାଉନ କଟକଣା। ଏଥିପାଇଁ ଅନେକ ଲୋକ ସେମାନଙ୍କ କର୍ମ ଭୂମିରୁ ନିଜ ଜନ୍ମ ଭୂମିକୁ ଫେରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି। ହେଲେ ଏହି ସମସ୍ୟାର ସମାଧାନ ପାଇଁ ଦେବଦୂତ ସାଜିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ପୂର୍ବରୁ ବହୁ ଅସହାୟଙ୍କୁ ସବ୍ୟସାଚୀ ସହାୟତାର ହାତ ବଢାଇଥିବା ବେଳେ ଏବେ ଆଉ ଏକ ମହାନ କାମ କରିଛନ୍ତି ଏହି ଅଭିନେତା ।
ଘଟଣାଟି ହେଉଛି ସୁଦୂର ଦୁବାଇରେ କାମ ପାଇଁ ଯାଇଥିବା ଗଞ୍ଜାମ ଜିଲ୍ଲାର ଖଜ୍ଜାପଲ୍ଲୀ ଗ୍ରାମର 36 ବର୍ଷୀୟ ବଳରାମ ପ୍ରଧାନ। ସେଠାରେ ମଧ୍ୟ କୋରୋନାର ପ୍ରଭାବ ପାଇଁ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା। ଫଳରେ ସେ ଅନେକ ଦିନ ଧରି ବେରୋଜଗାର ରହିଥିଲେ। ଏପରି ହୋଇଥିଲା ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିଲେ । ଚାରିଆଡ଼େ କଟକଣା କାରଣରୁ ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ପାଇଁ ତାଙ୍କ ମୃତଦେହ ଓଡିଶା ବି ଆସିପାରୁନଥିଲା ।
ତେଣୁ ତାଙ୍କ ମୃତଦେହକୁ କିପରି ତାଙ୍କ ଗାଁକୁ ଅଣାଯିବ ସେଥିପାଇଁ ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ଜଣାଇଥିଲେ । ଗଣମାଧ୍ୟମରୁ ଖବର ଜାଣିବା ପରେ ମୃତକଙ୍କ ପରିବାର ସହିତ ଯୋଗାଯୋଗ କରି ଆରମ୍ଭ କରିଥିଲେ ନିଜର ଉଦ୍ୟମ । ବ୍ୟକ୍ତିଗତ ଭାବେ ସେ ସବୁ ଯୋଗାଯୋଗ କରିବା ପରେ ଗତ 16 ତାରିଖ ରାତିରେ ବଳରାମଙ୍କ ମୃତଦେହ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ଶେଷରେ ନିଜେ ସବ୍ୟସାଚୀ ବିମାନ ବନ୍ଦର ପହଞ୍ଚି ଆମ୍ବୁଲାନ୍ସରେ ମୃତଦେହକୁ ପଠାଇବା ସହ ମୃତ ବଳରାମଙ୍କ ଦୁଇ ପୁଅ ଙ୍କୁ ପାଠ ପଢାଇବାରେ ସହଯୋଗ କରିବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି । ଦାଦନ ଖଟିବାକୁ ଯାଇ ଶେଷରେ ମୃତଦେହ ହୋଇ ଫେରିଥିବା ବଳରାମଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ବଳରାମଙ୍କ ଗ୍ରାମରେ ମୃତ ଶରୀର ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ ।