ବ୍ରହ୍ମପୁର: ସେ ହେଉଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର । ହେଲେ ତାଙ୍କ ଭିତରେ ଅନ୍ତର୍ନିହିତ ଥିଲା ସୂକ୍ଷ୍ମ କାରିଗରୀ କଳା । ଆଜି ତାହାରି ବଳରେ ସେ ସୃଷ୍ଟି ନିଜର ନିଆରା ପରିଚୟ । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲ୍ ଛାତ୍ର କେ. ବିଜୟ ରେଡ୍ଡି । ଚକ୍ ଖଡ଼ିରେ ଅତି ନିଖୁଣ କାରିଗରୀ କରି ଦେଖାଉଛନ୍ତି ବିଜୟ । ସ୍ବାଧୀନତାର ୭୫ ବର୍ଷକୁ ନେଇ ଆଜାଦିକା ଅମୃତ ମହୋତ୍ସବକୁ ନଜରରେ ରଖି ସେ ଦେଶର ୭୫ଟି ପ୍ରମୁଖ ସ୍ଥାନ ଚକ୍ ଖଡ଼ିରେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ବିଜୟ ପ୍ରସ୍ତୁତ କରିଥିବା ସୂକ୍ଷ୍ମ କାରିଗରୀର ଉଚ୍ଚତା ୧ ସେଣ୍ଟିମିଟରରୁ ୩.୩ ସେଣ୍ଟିମିଟର ରହିଛି । ସ୍ୱାଧିନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶର ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି କରି ଦେଖାଇବାର ଲକ୍ଷ୍ୟ ରଖିଛନ୍ତି ବିଜୟ । ଏଥିପାଇଁ ଗତ କିଛି ମାସ ହେଲା ସେ ପ୍ରୟାସ ଜାରି ରଖିଛନ୍ତି । ଏହି ପ୍ରୟାସ ବଳରେ ହିଁ ବିଜୟ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ।