ବ୍ରହ୍ମପୁର: ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ହିତାଧିକାରୀମାନେ କିଭଳି ଉତ୍ତମମାନର ଚିକିତ୍ସା ପାଇପାରିବେ ସେ ନେଇ ରାଜ୍ୟର ୫ଟି ସଚିବ ଭି. କେ ପାଣ୍ଡିଆନ୍ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୨୦ଟି ବେସରକାରୀ ଚିକିତ୍ସାଳୟ ସହିତ ଏହି ସେବା ପ୍ରଦାନ ନିମନ୍ତେ ପଞ୍ଜିକରଣ କରାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୈଠକରେ ସୂଚନା ଦେଇଛନ୍ତି ।
ଏହି ଅବସରରେ ପାଣ୍ଡିଆନ୍ ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦେଇଛନ୍ତି । ପେପର କାର୍ଯ୍ୟକୁ ବାଦ୍ ଦେଇ ସର୍ବପ୍ରଥମେ ପ୍ରାଥମିକତା ଭିତ୍ତିରେ ତୁରନ୍ତ ରୋଗୀଙ୍କ ଚିକିତ୍ସା କରିବାକୁ ସେ ଅନୁରୋଧ କରିଛନ୍ତି । ଯଦି କାହାର ଜୀବନ ପ୍ରତି ବିପଦ ରହୁଥିବା ଡାକ୍ତର ଅନୁଭବ କରନ୍ତି ତେବେ ପ୍ରଥମେ ଉକ୍ତ ବ୍ୟକ୍ତିର ଚିକିତ୍ସା କରନ୍ତୁ । ଉକ୍ତ ବ୍ୟକ୍ତିର ସମସ୍ତ ଚିକିତ୍ସା ବାବଦ ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି ।
ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ଅନ୍ୟମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ଅବସରରେ ସମସ୍ତ ପଞ୍ଜିକୃତ ବେସରକାରୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନେ କିଭଳି ଚିକିତ୍ସା ପ୍ରଦାନ କରୁଛନ୍ତି, ତାହା ପଚାରି ବୁଝିଥିଲେ ପାଣ୍ଡିଆନ। ଚିକିତ୍ସା ପାଇଁ ଆସୁଥିବା ବ୍ୟକ୍ତିଙ୍କଠାରୁ ଦଲାଲଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି ।