ବ୍ରହ୍ମପୁର: ସର୍ବଭାରତୀୟ ସ୍ତରରେ ପାଞ୍ଚ ଲକ୍ଷ ଲୋକଙ୍କୁ ହୃଦୟ ପୁନଃ ସଞ୍ଚାଳନ ଉପରେ ଦିଆଯିବ ତାଲିମ । ବିଶ୍ବ ନିଶ୍ଚେତକ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ନିଶ୍ଚେତକ ବିଭାଗର ମୁଖ୍ୟ ।
ହୃଦଘାତରେ ଅଚେତ ହୋଇଯାଉଥିବା ବ୍ୟକ୍ତିର ହୃତପିଣ୍ଡକୁ ଜଣେ ସାଧାରଣ ଲୋକ ବି ପୁଣି ସଞ୍ଚାଳନ କରିପାରିବ ସେ ବିଷୟରେ ଏମକେସିଜି ବହିଃବିଭାଗ ସମୁଖରେ ସାଧାରଣ ଲୋକଙ୍କୁ ତାଲିମ ଦିଆଯାଇଛି । ପୋଲିସ ତଥା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟରେ ଚଳିତବର୍ଷ ପ୍ରାୟ ପାଞ୍ଚ ହଜାର ଲୋକଙ୍କୁ ଏଭଳି ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାଦ୍ବାରା ଯେ କୌଣସି ସ୍ଥାନରେ କୌଣସି ବ୍ୟକ୍ତି ନିଜର ଦୁଇ ହାତର ସହାୟତାରେ ଗୋଟିଏ ବ୍ୟକ୍ତିକୁ ପୁଣି ଜୀବନ ଦାନ କରିପାରିବେ । ମୁଖ୍ୟତ ହୃତପିଣ୍ଡ ୮ ରୁ ୧୦ ମିନିଟ୍ ବନ୍ଦ ହୋଇଗଲେ ତଥା ନାଡିରେ ଅନିୟମିତତା ଦେଖାଦେଲେ ମସ୍ତିଷ୍କ ,ହୃତପିଣ୍ଡ ଓ ବୃକକ୍ କୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଥାଏ । ଯାହା ଫଳରେ ଅମ୍ଲଜାନ ଅଭାବ ଲୋକଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । ସେଭଳି କ୍ଷେତ୍ରରେ ଏହି ପ୍ରଣାଳୀ ପ୍ରଯୋଗ କରି ଲୋକଟିକୁ ଜୀବିତ ରଖାଯାଇପାରିବ ।