ବ୍ରହ୍ମପୁର: ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏନେଇ ଦେଶବାସୀଙ୍କ ମଧ୍ୟରେ ରହିଛି ଅନେକ ଉତ୍କଣ୍ଠା ଓ ଉତ୍ସାହ । ତେବେ ବୁଧବାର ସାରା ଦେଶରେ ପାଳିତ ହେଉଛି ପବିତ୍ର ରାମନବମୀ । କୋଭିଡ କଟକଣାରେ ମର୍ଯ୍ୟାଦା ପୁରୁଷତ୍ତୋମଙ୍କ ଜନ୍ମଉତ୍ସବ ପାଳନ କରାଯାଉଛି । ଅନ୍ୟପଟେ ପ୍ରଭୁ ରାମଙ୍କ ଜନ୍ମ ଦିନରେ ବ୍ରହ୍ମପୁରର ଏକ ଯୁବଶିଳ୍ପୀ ଦିଲ୍ଲୀପ ମହାରଣା ନିର୍ମାଣ କରିଛନ୍ତି 3 ଇଞ୍ଚିର ରାମ ମନ୍ଦିର ।
ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିରର ଏକଦମ ଅବିକଳ । ସେହି ଅପୂର୍ବ କାରୁକାର୍ଯ୍ୟ, କଳାକୃତି ତାଙ୍କ ମନ୍ଦିରରେ ପ୍ରତୀୟମାନ ହେଉଛି । କାଠ ତିଆରି ମନ୍ଦିରର ଉଚ୍ଚତା ମାତ୍ର 3 ଇଞ୍ଚ । ଏହାର ଓସାର ମଧ୍ୟ 3 ଇଞ୍ଚ ଓ ଲମ୍ବା 5 ଇଞ୍ଚ ରହିଛି । ହାତ ପାପୁଲରେ ରହିଯାଉଥିବା ଏହି ମନ୍ଦିରରେ ଖଞ୍ଜା ହୋଇଛି 84 ଟି ଖମ୍ବ । ଏଥିରେ ରହିଛି ମୁଖ୍ୟ ମନ୍ଦିର ବେଢା, ପାର୍ଶ୍ବ ମନ୍ଦିର ସହ ରହିଛି ଚାରୋଟି ଗମ୍ବୁଜ । ଅତି ସୂକ୍ଷ୍ମକାରଗରୀର ଭବ୍ୟ ରାମ ମନ୍ଦିରର ପ୍ରସ୍ତୁତ କରିଛନ୍ତି ଦିଲ୍ଲୀପ। ତେବେ ପବିତ୍ର ରାମନବମୀ ଉପଲକ୍ଷେ ସେ ରାମ ମନ୍ଦିରର କାଠ ମଡେଲ ନିର୍ମାଣ କରିଛନ୍ତି । ଏହାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦେବାକୁ ଇଚ୍ଛା ରଖିଛନ୍ତି ।