ହାଇଦ୍ରାବାଦ: ଓଡିଆ ଭାଷା ଆନ୍ଦୋଳନର ଆଉ ଜଣେ ପୁରୋଧା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ(Maharaj Sriram Chandra Bhanj Deo) । ତାଙ୍କର ଦେଶପ୍ରୀତିର ପଟ୍ଟାନ୍ତର ନାହିଁ । ସେ ରାଜ୍ୟର ମଙ୍ଗଳ ଏବଂ ପ୍ରଜାଙ୍କ ହିତ ପାଇଁ ସର୍ବଦା ଚେଷ୍ଟିତ ଥିଲେ । ଜଣେ ସୁଶାସକ ଭାବରେ ବେଶ୍ ପରିଚିତ ଥିଲେ ସେ । ରାଜା ହୋଇ ମଧ୍ୟ ରାଜ ଢଙ୍ଗଢାଙ୍ଗରେ ରହିବାକୁ ସେ ପସନ୍ଦ କରୁନଥିଲେ । ଏହି ସରଳ ପ୍ରକୃତି ପାଇଁ ସେ ସଭିଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଆଜି ଏହି ପ୍ରଜା ବତ୍ସଳ ରାଜା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ବାର୍ଷିକୀ ।
1870 ମସିହା ଡିସେମ୍ବର ଆଜିର ଦିନରେ ମୟୂରଭଞ୍ଜ ଜିଲ୍ଲାର ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣଚନ୍ଦ୍ର ଭଞ୍ଜ । ମହାରାଜଙ୍କ ବାଲ୍ୟକାଳ ବାରିପଦାରେ କଟିଥିଲା । ତାଙ୍କୁ ଯେବେ 9 ବର୍ଷ ବୟସ ହୋଇଥିଲା ପିତା କୃଷ୍ଣଚନ୍ଦ୍ର ଆରପାରିକୁ ଚାଲି ଯାଇଥିଲେ । ପିତାଙ୍କ ମୃତ୍ୟୁ ପରେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଛୋଟ ଲାଟସାହେବଙ୍କ ସହାୟତାରେ ସେ ବିଦ୍ୟା ଅଧ୍ୟୟନ କରିଥିଲେ । ୧୫ ଅଗଷ୍ଟ ୧୮୯୨ରେ ସେ ରାଜ ସିଂହାସନ ଆରୋହଣ କରିଥିଲେ ।
ରାଜା ହେବାର ୪ବର୍ଷ ପରେ ୧୮୯୬ ମସିହାରେ ଶ୍ରୀରାମଚନ୍ଦ୍ରଙ୍କର ବିବାହ ଲକ୍ଷ୍ମୀ କୁମାରୀଙ୍କ ସହିତ ହୋଇଥିଲା । ସେକାଳର ମୟୂରଭଞ୍ଜ ରାଜ୍ୟର ସର୍ବାଙ୍ଗ ଉନ୍ନତି ଓ ଜନସାଧାରଣଙ୍କ ପ୍ରଗତି ପାଇଁ ସେ ଅନେକ କାମ କରିଯାଇଛନ୍ତି । ଗଣତାନ୍ତ୍ରିକ ଉପାୟରେ ଶାସନ ପରିଚାଳନା ପାଇଁ ସେ ଷ୍ଟେଟ୍ କାଉନ୍ସିଲ୍ ଗଠନ କରିଥିଲେ ଏବଂ ସେଥିରେ ସେ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କୁ ସଦସ୍ୟଭାବେ ଗ୍ରହଣ କରିଥିଲେ । ପ୍ରଜା ହିତକର ସମସ୍ତ କାର୍ଯ୍ୟ ପାଇଁ କାଉନ୍ସିଲ୍ ମାଧ୍ୟମରେ ଆଇନର ସଂଶୋଧନ କରିଥିଲେ । ରାଜ୍ୟ ଶାସନର ସୁବିଧା ପାଇଁ ସେ ପ୍ରଥମ କରି ସମଗ୍ର ରାଜ୍ୟକୁ ୪ଟି ବିଭାଗରେ ବିଭକ୍ତ କରିଥିଲେ । ଇଂରେଜ ଶାସନ ଢ଼ାଞ୍ଚାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଲିସ୍ ବିଭାଗରେ ନୂତନ ସଂସ୍କାର ଆଣିଥିଲେ ।