ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ ଚମ୍ପଟ ମାରିଛନ୍ତି କନଷ୍ଟେବଳ । ଜିଲ୍ଲାରେ ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ବାରିପଦାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରିଥିବା ସମୟରେ ସେ ଘରର ଛାତ ବାଲକୋନିରୁ ଲମ୍ଫ ମାରି ଫେରାର ହୋଇଯାଇଥିବା ଜଣାପଡିଛି ।
କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ବଶୁର ଘର, ନିଜସ୍ୱ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ଆଜି(ମଙ୍ଗଳବାର) ସକାଳୁ ଚଢାଉ ଆରମ୍ଭ କରିଥିଲା ଭିଜିଲାନ୍ସ । ମୟୂରଭଞ୍ଜ ପୋଲିସ SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟ ଭିଜିଲାନ୍ସଙ୍କ ସ୍କାନରରେ ଥିଲେ । ଏନେଇ ବାରିପଦାର ଭଞ୍ଜପୁରସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ପ୍ରକ୍ରିୟା ସମୟରେ କନଷ୍ଟେବଳ କୌଶଳବଶତଃ ଘରର ଛାତ ବାଲକୋନି ଡେଇଁ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ପୋଲିସ ଟିମ ପକ୍ଷରୁ ବାରିପଦାରୁ ଯାଉଥିବା ଟ୍ରେନ ସମେତ ବସ ଆଦିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପ୍ରକ୍ରିୟା ଜାରି ରହିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।