ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ (International Women's Day) ଅବସରରେ ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଲେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ । ସାରା ଦେଶରେ ଶ୍ରେଷ୍ଠ କୋଭିଡ ଟିକା ପ୍ରଦାନକାରୀ ଭାବେ ହୋଇଛନ୍ତି ସମ୍ମାନିତ ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଗତ 2 ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କରୋନାକୁ ମାତ ଦେବା ପାଇଁ ଗତ ବର୍ଷ ଠାରୁ ଆରମ୍ଭ ହୋଇଥିଲା ବୃହତ ଭ୍ୟାକ୍ସିନ ଅଭିଯାନ । ଯେଉଁ ଅଭିଯାନରେ ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।
ଏଥିପାଇଁ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀ ତଥା କୋଭିଡ ଯୋଦ୍ଧା ନେଇଥିଲେ ବଡ ଭୂମିକା । ସମସ୍ତ ପ୍ରତିକୂଳ ସ୍ଥିତି ସତ୍ତ୍ବେ କୋଭିଡ ଯୋଦ୍ଧା ଗାଁ ଗାଁ ଘର ଘର ଯାଇ କରିଥିଲେ ଟିକାକରଣ । ଆଉ ଏହି ଅଭିଯାନରେ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ଦାୟିତ୍ବ ମଧ୍ୟ କିଛି କମ ନଥିଲା । ଆଉ ଏହି ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ନିଷ୍ଠା, ପରିଶ୍ରମ, ଦାୟିତ୍ବକୁ ସମ୍ମାନ ଜଣାଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି କରିଛି ସମ୍ମାନିତ ।