ବାଲେଶ୍ଵର:ଫକୀର ମୋହନ ମେଡିକାଲ କଲେଜ ଏଵଂ ହସ୍ପିଟାଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମେଡିକାଲ କଲେଜ କ୍ୟାମ୍ପସ ଫାଟକରେ ତାଲା ପକାଇ ବାଲ୍ଟି ଧରି ଛାତ୍ରଛାତ୍ରୀମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଫକୀର ମୋହନ ମେଡିକାଲ କଲେଜରେ ଛାତ୍ର ଅଶାନ୍ତି, ଫାଟକରେ ତାଲା ପକାଇଲେ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହୋଇଛି । ପ୍ରାୟ ଏକମାସ ହେଲା କ୍ୟାମ୍ପସକୁ ଜଳଯୋଗାଣ ଠିକରେ ହେଉନଥିବା ବେଳେ ଛାତ୍ରଛାତ୍ରୀ ମାନେ ଗାଧୋଇବା ଓ ପିଇବା ପାଣି ପାଇଁ ନାନା ଅସୁବିଧା ଭୋଗୁଛନ୍ତି । ସେହିଭଳି ଶୀଘ୍ର ୱାଇ ଫାଇ ସୁବିଧା ଉପଲବ୍ଧ କରିବା ସହ ଅଚଳ ଏସିକୁ ସଜାଡ଼ିବା ଓ ଛାତର ସିଲିଂ ମରାମତି କରିବା ପାଇଁ ଦାବୀ କରିଛନ୍ତି । ଏନେଇ ବାରମ୍ବାର ମେଡିକାଲ କଲେଜ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିବା ବେଳେ ଆଜି ବାଧ୍ୟ ହୋଇ ମେଡିକାଲ କଲେଜ ଫାଟକରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ । ଅନ୍ୟପଟେ ମେଡିକାଲ କଲେଜ୍ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ।