ବାଲେଶ୍ବର:ବାପା ମାଙ୍କ ଋଣ ଗୋଟିଏ ଜନ୍ମରେ ସୁଝିବା ଅସମ୍ଭବ । ହେଲେ ତାଙ୍କ କିଛି ରହିଯାଇଥବା ସ୍ବପ୍ନ ପୂରଣ କରି ଦେଲେ ଆତ୍ମସନ୍ତୋଷ ମିଳେ । ସେମିତି କିଛି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ କଇନଗରୀ ଅଞ୍ଚଳରେ । କଇନଗରୀ ଅଞ୍ଚଳର ରଞ୍ଜନ ସେନାପତି ଓ ରତ୍ନାକର ଦାସଙ୍କ ତାଙ୍କ ବାପା ଦେଖିଥିବା ରାସ୍ତା ନିର୍ମାଣ ସ୍ବପ୍ନ ପୂରଣ କରିଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଲୋକଙ୍କ ପାଇଁ ବାପାଙ୍କ ଅଧୁରା ସ୍ୱପ୍ନ ପୁରା କରିବେ ପୁଅ ସୂଚନା ଅନୁସାରେ, କଇନଗରୀ ପଞ୍ଚାୟତରୁ ବାଲିଆପାଳ ବ୍ଲକର ବଣିଆଡିହା ପଞ୍ଚାୟତକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଲୋକମାନେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିଲେ । ରାସ୍ତା ନିର୍ମାଣ ପାଇଁ ବହୁବାର ପ୍ରଶାସନ ପାଖରେ ଗୁହାରି କରି ନିରାଶ ହୋଇଥିଲେ । ଅଣଓସାରିଆ ଏବଂ ମାଟି କାଦୁଅ ରାସ୍ତାରେ ଦୀର୍ଘ ବର୍ଷ ଧରି ଯାତାୟତ କରୁଥିଲେ। ବିଶେଷ କରି ବର୍ଷା ଦିନେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଉଥିଲା । ଯାହା ଫଳରେ ଲୋକମାନଙ୍କୁ ବାଧ୍ଯ ହୋଇ 4 କିଲୋମିଟର ରାସ୍ତା ବୁଲି କରି ଯିବାକୁ ପଡୁଥିଲା ।
ଲୋକଙ୍କ ସମସ୍ୟାକୁ ନେଇ କଇନଗରୀ ପଞ୍ଚାୟତର ରାମଚନ୍ଦ୍ର ସେନାପତି ଏବଂ ଜଳଧର ଦାସ ନିଜସ୍ୱ ଉଦ୍ଯମରେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ। ମାତ୍ର ଆବଶ୍ଯକ ଜାଗା ଏବଂ ଅର୍ଥ ଅଭାବରୁ ରାସ୍ତା ନିର୍ମାଣ ସ୍ବପ୍ନ ଅଧୁରା ରହି ଯାଇଥିଲା । ଏହାରି ଭିତରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ସେମାନଙ୍କ ମୃତ୍ଯୁର କିଛି ବର୍ଷ ପରେ ଉଭୟଙ୍କ ଦୁଇ ପୁଅ ବାପାଙ୍କର ଅଧୂରା ସ୍ବପ୍ନକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି । ରାସ୍ତା ନିର୍ମାଣ ପାଇଁ ଆବଶ୍ଯକ ସ୍ଥାନ ଏବଂ ଅର୍ଥ ପ୍ରଦାନ କରିବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣର ଶୁଭ ଦିଆଯାଇଛି । ତେବେ ଯେଉଁଠି ପ୍ରଶାସନ ଅନ୍ଧ ପାଳଟିଯାଏ ସେତେବେଳେ ଏମିତି କିଛି ହୃଦୟବାନ ଲୋକମାନେ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡ଼ିଥାନ୍ତି । ଗୋଟେପଟେ ଲୋକଙ୍କ ସମସ୍ୟା ଓ ଅନ୍ୟପଟେ ପିତାଙ୍କ ସ୍ବପ୍ନ ସାକାର କରିବାର ସୁଯୋଗ ଉଭୟ ସନ୍ତାନ ହାତଛଡା କରି ନାହାନ୍ତି । ବାସ୍ତବରେ ଏମିତି ପୁଅ ଓ ଦାୟିତ୍ୱବାନ ନାଗରିକ ଅନେକଙ୍କ ପାଇଁ ଉଦାହରଣ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ