ବାଲେଶ୍ବର:ବିଦୁ ଛକ ନିକଟରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସକୁ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସୋର ଓ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।
ବାଲେଶ୍ବରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଶାନ୍ତିଲତା ନାମକ ଏକ ବସକୁ ପଛପଟୁ ଦ୍ରୁତଗତିରେ ଆସୁଥିବା କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହାପରେ ଉଭୟ ଟ୍ରକ ଓ ବସ୍ ଓଲଟି ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଦୁର୍ଘଟଣାରେ ବାପା ମା' ସମେତ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ 6 ଜଣ ଗୁରୁତର ଆହତଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସେ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତଦବ୍ୟତୀତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ବ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଟ୍ବିଟ କରିଛନ୍ତି ।