ବାଲେଶ୍ବର: ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ପରେ ଏବେ ଗାଁ ଗାଁ ରେ ନେତାଙ୍କ ଭିଡ। କୋଭିଡ ଗାଇଡ ଲାଇନ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏବେ ଗାଁ ମୁହାଁ ନେତା। ଭୋଟରଙ୍କୁ କେମିତି ନିଜ ସପକ୍ଷରେ ମନାଇବେ ସେନେଇ ଚାଲିଛି ପ୍ରୟାସ ।
ବିଶେଷ କରି ଚଳିତ ବର୍ଷ ସରପଞ୍ଚ ପଦକୁ ନେଇ ଅଧିକ ଆଶାୟୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭିତରେ କେଉଁଠି ନା କେଉଁଠି ଗୋଟିଏ ପଞ୍ଚାୟତରେ ଗୋଟିଏ ଦଳ ସମର୍ଥନରେ ଦୁଇଜଣ ପ୍ରାର୍ଥୀ ନିଜ ସପକ୍ଷରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେମିତି ଏକ ପଞ୍ଚାୟତ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବିରୁଆଁ ପଞ୍ଚାୟତ। ବିରୁଆଁ ପଞ୍ଚାୟତ 15 ଟି ୱାର୍ଡକୁ ଗଠିତ ହୋଇଥିବା ବେଳେ ଏଠାକାର ଲୋକସଂଖ୍ୟା 8 ହଜାର। ସେମାନଙ୍କ ମଧ୍ୟରୁ 4 ହଜାର 736 ଜଣ ହେଉଛନ୍ତି ଭୋଟର। ବିରୁଆଁ ପଞ୍ଚାୟତରୁ ଏଥର ସୋମନାଥପୁର ବାଦ ପଡି ରେମୁଣା NACରେ ମିଶିଛି।
ଯେଉଁଥିପାଇଁ ପ୍ରାୟ 2 ହଜାର ଭୋଟର ଏହି ପଞ୍ଚାୟତରୁ ବାଦ ପଡିଛନ୍ତି। ତେବେ ଏହି ପଞ୍ଚାୟତର ଏଥର ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବଂଶୀଧର ପଣ୍ଡା ଓ ଦିଲ୍ଲୀପ ଦାସ ଉଭୟ ବିଜେଡି ସମର୍ଥନରେ ଛିଡା ହୋଇଥିବା କହିଛନ୍ତି। ଗୋଟିଏ ପଟେ ଦିଲ୍ଲୀପ ଦାସ ରେମୁଣା ବିଧାୟକ ଓ ଜିଲ୍ଲା ସଭାପତିଙ୍କ ସହମତି କ୍ରମେ ଛିଡା ହୋଇଥିବା କଥା କହୁଥିବ ବେଳେ ଅନ୍ୟପଟେ ବଂଶୀଧର ପଣ୍ଡା ଜିଲ୍ଲା ସଭାପତିଙ୍କ ଅନୁମତି କ୍ରମେ ଛିଡା ହୋଇଥିବା କହୁଛନ୍ତି। ଏମିତି ଦୃଶ୍ୟ ଦେଖିବା ପରେ ବିରୁଆଁ ପଞ୍ଚାୟତରେ ବିଜେଡିର ଦଳୀୟ କନ୍ଦଳ ଥିବା ସ୍ପଷ୍ଟ ହେଉଛି । ଏ ଦୁଇଜଣଙ୍କ ଲଢେଇ ଭିତରେ ବିଜେପି ସମର୍ଥିତ ପ୍ରାର୍ଥୀ ସୁମନ୍ତ ଦାସ ବାଜି ମାରି ନେଇପାରନ୍ତି ବୋଲି ଆଲୋଚନା ହେଉଛି ।