ବାଲେଶ୍ବର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସଦର ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ଛତୁଆ ୟୁନିଟ ଯାଇ ମାନ ଯାଞ୍ଚ କରିଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା, ଛତୁଆ ୟୁନିଟ୍ରେ ଖାଦ୍ୟର ଗୁଣବତ୍ତା ନିମ୍ନମାନର ଓ ଖାଦ୍ୟ ପ୍ୟାକେଟ୍ ଗୁଡ଼ିକର ଓଜନ କମ୍ ଥିବା ଦେଖିବାକୁ ମିଳିଥିଲା । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଅଧ୍ୟକ୍ଷ ନାରାୟଣ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନ ବଇଞ୍ଚା ପଞ୍ଚାୟ ଅଙ୍ଗନୱାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ପିଲା ସଂଖ୍ୟା ଓ ରନ୍ଧା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ । ତା'ପରେ ଓଲନ୍ଦା ସାରଗାଁ ପଞ୍ଚାୟତ ଗୁଜୁବା ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଯାଇଥିଲେ କିନ୍ତୁ ତାଲା ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡାକି ଅଙ୍ଗନୱାଡ଼ିର ପାଠପଢ଼ା ଏବଂ ପିଲାଙ୍କ ଖାଇବା ବାବଦରେ ପଚାରି ବୁଝିଥିଲେ। ସେହିପରି ଛାନୁଆ ପଞ୍ଚାୟତ ସାନବଗରା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ବେଳେ ପିଲାଙ୍କୁ ପଚାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପାଠପଢ଼ା ହେଉଛି ବୋଲି ସେମାନେ କହିଥିଲେ। ଅନ୍ୟପଟେ ମା’ ବନବିବି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଛତୁଆ ୟୁନିଟ୍ ଉପରେ ଅଚାନକ ଚଢ଼ାଉ କରିଥିଲେ।