ବାଲେଶ୍ଵର: ପିଛା ଛାଡୁନି ଅନ୍ଧବିଶ୍ବାସ । ପୁଣି ଏମିତି ଏକ ଘଟଣା ସାମନାକୁ ଆସିଛି ଯେଉଁଠି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବୋହୂକୁ ଶାଶୁଘର ଲୋକେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ବାଲେଶ୍ବର ଖଇରା ଥାନା ଅର୍ଜୁନପୁର ଗ୍ରାମରେ । ଗୁରୁତର ମହିଳାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମହିଳାଙ୍କ ଅଭିଯୋଗ ଅନୁସାରେ, ରବିବାର ଦିନ ଗ୍ରାମର ଚିନ୍ମୟୀ ଜେନାଙ୍କ ଶାଶୁଘର ଲୋକ ଅନ୍ଧବିଶ୍ବାସରେ କବଳିତ ହୋଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । କାଳୀସି ଲାଗିବା ବାହାନାରେ ମହିଳାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ପକାଇଥିଲେ । ଗାଁ ଦାଣ୍ଡରେ ମହିଳାଙ୍କ ଚୁଟି ଧରି ଘୋଷାଡି ଘୋଷାଡି ନେଇଥିବା ମଧ୍ୟ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ମହିଳା ସମିତିର କିଛି ମହିଳାମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ତେବେ ଏହା ପ୍ରଥମଥର ନୁହେଁ ପୂର୍ବରୁ ମଧ୍ୟ ମହିଳାଙ୍କୁ ଶାଶୁଘର ଲୋକେ ଗୁଣି ଗାରେଡି କରୁଥିବା ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।