ବାଲେଶ୍ୱର :ପାଠ ପଢି ବହୁତ ଆଗକୁ ଯିବାକୁ ଇଛା । କିନ୍ତୁ ଇଚ୍ଛାରେ ବେଡି ପକାଇଛି ଅର୍ଥିକ ଅନଟନ । ପରିବାରର ପରିସ୍ଥିତି ଏମିତି ଯେ ଓଳିଏ ଖାଇଲେ ଦୁଇ ଓଳିଏ ଉପବାସ ରହିବାକୁ ପଡେ । ପାଠ ପଢିବାକୁ ପ୍ରବଳ ଆଗ୍ରହ ରହିଥିବା ବେଳେ ଅର୍ଥ ସାଜିଛି ବାଧକ । ଏମିତି କୋହଭରା ଚିଠି ମୁଖ୍ୟମନ୍ତ୍ରୀଙ୍କୁ (letter to cm ) ଲେଖି ନିଜର ଦୁଃଖ ଜଣାଇଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ପାଟଣା ରାଇପୁର ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ପଣ୍ଡା।
ପାଠ ପଢିବାକୁ ପ୍ରବଳ ଆଗ୍ରହ ରଖିଥିବା ସୁଭଦ୍ରାଙ୍କ ପାଇଁ ଅର୍ଥ ସାଜିଛି ବାଧକ । ସୁଭଦ୍ରା ଯେତେବେଳେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ମା ମାନସିକ ସ୍ତରରେ ଭାରସାମ୍ୟ ହରାଇ ବସିଲେ। 8 ବର୍ଷ ଧରି ମାଆଙ୍କୁ ମିଳୁଥିବା ଭତ୍ତା ଓ ରାସନ ଚାଉଳରେ ଦୁଇ ପ୍ରାଣୀ ଚଳୁଛନ୍ତି। ଯାହାକୁ ନେଇ ସୁଭଦ୍ରା ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଏହାରି ଭିତରେ ପୁଣି ନିଜ ଭବିଷ୍ୟତ ଗଢିବା ସ୍ୱପ୍ନ ସାଙ୍ଗକୁ ମାଆଙ୍କୁ ଭଲ କରିବାର ଚିନ୍ତା କୁନି ମୁଣ୍ଡରେ ପୃଥିବୀ ମୁଣ୍ଡେଇବା ପରି ଅନୁଭବ ହେଉଛି । ସମସ୍ତ ଦୁଃଖକଷ୍ଟକୁ ଦିନେ ସୁଭଦ୍ରା ଏକ କାଗଜରେ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ସୁଭଦ୍ରା। ମାଆଙ୍କ ଚିକିତ୍ସା ସାଙ୍ଗକୁ ନିଜର ପାଠପଢ଼ା ଓ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ପାଇଁ ଚିଠିରେ ଦାବି ଜଣାଇଥିଲେ। ସରକାରୀ ସ୍ତରରେ କେବଳ ଚାଉଳ ଗଣ୍ଡେ ଓ 500 ଟଙ୍କା ଭତ୍ତା ଛଡ଼ା ତାଙ୍କୁ ଆଉ କିଛି ମିଳି ନଥିବା ଚିଠି ଯୋଗେ ଅଭିଯୋଗ କରିଛନ୍ତି ସୁଭଦ୍ରା ।
ଘଟଣାକୁ ନେଇ ସୁଭଦ୍ରାଙ୍କ ଶିକ୍ଷକ କହିଛନ୍ତି, "ସରକାରୀ ୫୦୦ ଭତ୍ତାକୁ ଛାଡିଦେଲେ ଆଉ କିଛି ନାହିଁ ବୋଲି ସେ କାନ୍ଦେ ମୋ ପାଖରେ । ଦୁଃଖ ଜଣାଇବା ପାଇଁ ବହୁତ ଚେଷ୍ଟା କରି ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଲା । ଯଦି ମେଧାବୀ ଛାତ୍ରୀଙ୍କୁ ସରକାର କିଛି ସାହାଯ୍ୟ କରିଦିଅନ୍ତି ସେ ଉପକୃତ ହୋଇପାରନ୍ତା ।"