ଓଡିଶା

odisha

ETV Bharat / city

ପରଲୋକରେ ବାଲେଶ୍ବରର ପୂର୍ବତନ ବିଧାୟକ ଅରୁଣ ଦେ,ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Arun Dey passes away

ପରଲୋକରେ ବାଲେଶ୍ବର ପୂର୍ବତନ ବିଧାୟକ ଅରୁଣ ଦେ । ବାଲେଶ୍ବର ନିର୍ବାଚନ ମଣ୍ଡଳିର ସେ ୫ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଅରୁଣ ଦେଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି । ପଢନ୍ତୁ...

Former Balasore MLA Arun Dey succumbs to post-Covid complications
ପରଲୋକରେ ବାଲେଶ୍ବର ପୂର୍ବତନ ବିଧାୟକ ଅରୁଣ ଦେ

By

Published : Aug 2, 2021, 8:32 PM IST

Updated : Aug 2, 2021, 9:55 PM IST

ଭୁବନେଶ୍ବର/ବାଲେଶ୍ବର:ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା ।

ଜୁନ ମାସ ପ୍ରଥମ ସପ୍ତାହରେ ଅରୁଣ ଦେ କୋରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରରେ ଏକ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ତାଙ୍କ ଦେହରେ କୋଭିଡ଼ ପରବର୍ତ୍ତୀ ସମସ୍ୟା ଦେଖା ଦେଇଥିଲା ଏବଂ ସେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ଜନ୍ମଭୂମି ତଥା ତାଙ୍କ କର୍ମଭୂମି ବାଲେଶ୍ଵରରେ ଶେଷକୃତ୍ୟ ହେବ ବୋଲି ଜଣାପଡିଛି ।

ବାମପନ୍ଥୀ ଚିନ୍ତାଧାର ସହ ଜଡିତ ଅରୁଣ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ । ସିପିଆଇ ଦଳ ସହ ୧୯୯୪ ପର୍ଯ୍ୟନ୍ତ ସେ ଜଡିତ ଥିଲେ । ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ବର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୮୦ ଓ ୧୯୯୦ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ବ କରି ବିଧାୟକ ହୋଇଥିଲେ । ରୋକଠୋକ ସ୍ଵଭାବ ଯୋଗୁଁ ସେ ସିପିଆଇ ଛାଡି ୧୯୯୫ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିଥିଲେ । ୨୦୦୪ରେ ଓଡିଶା ଗଣ ପରିଷଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୧୯୪୬ ଏପ୍ରିଲ ୩୦ ରେ ବାଲେଶ୍ବରରେ ଜନ୍ମିତ ଅରୁଣ ବୃତ୍ତିରେ ଜଣେ ଆଇନଜୀବୀ । ୨୦୦୯ରେ ସେ ଓଡିଶା ଗଣପରିଷଦରୁ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ । ୨୦୦୯ ପରେ ସେ ଆଉ ନିର୍ବାଚନ ଜିତି ପାରିନାହାଁନ୍ତି । ୨୦୧୪ରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ ନପାଇବାରୁ ସେ ବିଜେଡି ଛାଡି କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ବର ବିଧାନସଭା ଆସନରୁ ଲିଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ଠାରୁ ହାରିଯାଇଥିଲେ । ୨୦୨୦ରେ ବାଲେଶ୍ବର ଉପନିର୍ବାଚନ ପୂର୍ବରୁ ସେ ପୁଣି ଥରେ ବିଜେଡି ଫେରିଥିଲେ ।

ବାଲେଶ୍ବର ସଦରର ପୂର୍ବତନ ବିଧାୟକ ଅରୁଣ ଦେ ଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ତାଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Aug 2, 2021, 9:55 PM IST

ABOUT THE AUTHOR

...view details