ଓଡିଶା

odisha

ETV Bharat / city

10ବର୍ଷ ଧରି ଶିକୁଳିରେ ବନ୍ଧା ଭେଣ୍ଡିଆ ପୁଅ, ଭଉଣୀ ହରାଇଛି ମାନସିକ ଭାରସାମ୍ୟ: ପରିବାରକୁ ଲୋଡା ସରକାରୀ ସହାୟତା - ବାଲେଶ୍ବରାସୀ ଗୋପୀନାଥ ସେଠୀଙ୍କ ଦୁଃଖ

ଶିକୁଳିରେ ବନ୍ଧା ପଡ଼ିଛି ୨୭ ବର୍ଷର ଭେଣ୍ଡିଆ ପୁଅ । ସେପଟେ ବାହା ହେବା ବୟସରେ ଝିଅ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲୁଛି । ଏପରି ସ୍ଥିତିରେ କଣ କରିବ ପରିବାର । ପାଖରେ ନାହିଁ ଅର୍ଥ । ସରକାରୀ ସହାୟତାକୁ ଅନାଇ ବସିଛି ଅସହାୟ ପରିବାର । ଏଭଳି ଘଟଣା ବାଲେଶ୍ବର ଜିଲ୍ଲାର ନହଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

୧୦ ବର୍ଷ ଧରି ଶିକୁଳିରେ ବନ୍ଧା ଏକମାତ୍ର ଭେଣ୍ଡିଆ ପୁଅ, ସରକାରୀ ସହାୟତାରେ ପରିବାର
୧୦ ବର୍ଷ ଧରି ଶିକୁଳିରେ ବନ୍ଧା ଏକମାତ୍ର ଭେଣ୍ଡିଆ ପୁଅ, ସରକାରୀ ସହାୟତାରେ ପରିବାର

By

Published : Mar 29, 2022, 7:07 PM IST

ବାଲେଶ୍ବର:ସତରେ ଭାଗ୍ୟ ଯେବେ ଦୁଃଖରେ ଭରି ଯାଏ, ଦଇବ ଯେବେ ଦାଉ ସାଧେ । ସେତେବେଳେ ମଣିଷ କେବଳ ଲୁହ ପିଇ ବଞ୍ଚିବା ଛଡ଼ା ଆଉ କିଛି କରିପାରେନି ! ଭବିଷ୍ୟତ ଅନ୍ଧକାର ହୋଇଯାଏ । ଯେଉଁ ବୟସରେ ପୁଅ ରୋଜଗାର କରି ଘର ପରିବାରର ଦାୟିତ୍ୱ ନେବା କଥା ସେହି ବୟସରେ ତା ଗୋଡ଼ ହାତ ବାନ୍ଧି ରଖିବାକୁ ପଡୁଛି । ଏମିତି ପରିସ୍ଥିତି ଭିତରେ ଏବେ ଅସହାୟ ହୋଇ ଯାଇଛି ପରିବାର। ଆଉ ଲୋଡିଛି ସରକାରୀ ସହାୟତା । ଏଭଳି ହୃଦୟ ବିଦାରକ ଘଟଣା ଜିଲ୍ଲାର ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ସେରପୁର ଗ୍ରାମରେ ଦେଖିବାକୁ ମିଳିଛି ।

୧୦ ବର୍ଷ ଧରି ଶିକୁଳିରେ ବନ୍ଧା ଏକମାତ୍ର ଭେଣ୍ଡିଆ ପୁଅ, ସରକାରୀ ସହାୟତାରେ ପରିବାର

ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ 10ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ହୋଇ ରହିଛି 27 ବର୍ଷର ଭେଣ୍ଡିଆ ପୁଅ । ଏପଟେ 20 ବର୍ଷର ଝିଅ ମଧ୍ୟ ମାନସିକ ଭାରସାମ୍ୟ ହରାଇ ଏଣେ ତେଣେ ବୁଲିଛି । ଗ୍ରାମର ଗୋପୀନାଥ ସେଠି ଜଣେ ଦିନ ମଜୁରିଆ । ମୂଲ ଲାଗିଲେ ଚୁଲି ଜଳିବ ନହେଲେ ନାହିଁ ପରିବାର ଲୋକଙ୍କ ପେଟକୁ ଦାନା ଯିବା ଅସମ୍ଭବ । ଏହାରି ଭିତରେ ଗୋଟିଏ ପୁଅ, ଦୁଇଟି ଝିଅକୁ ନେଇ ତାଙ୍କର ଦୁଃଖୀ ସଂସାର । ଗୋପୀନାଥଙ୍କ ଏକ ମାତ୍ର ପୁଅ ହେଉଛି ଜଗତାନନ୍ଦ । ଯାହାଙ୍କୁ ଏବେ ପରିବାର ଲୋକେ ଏକ ଲୁହା ଶିକୁଳିରେ ବାନ୍ଧି ରଖୁଛନ୍ତି।

ଶିକୁଳି ଫିଟାଇଲେ ସେ ଗଡିଆ ପୋଖରୀକୁ ଡେଇଁ ପଡ଼ୁଥିବାରୁ ବାଧ୍ୟ ହୋଇ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକେ ଦିନରାତି ଶିକୁଳିରେ ବାନ୍ଧି ରଖୁଛନ୍ତି । ପିଲାବେଳେ ଜଗତାନନ୍ଦ ବେଶ ଭଲ ଥିବା ବେଳେ ଛାତ୍ର ଜୀବନରେ ମଧ୍ୟ ଜଣେ ଜ୍ଞାନୀ ଛାତ୍ର ଭାବେ ପରିଚିତ ଥିଲେ । ମାତ୍ର ବୟସ ବଢ଼ିବା ସହ ଶରୀରର ପରିବର୍ତ୍ତନ ଘଟିବା ଆରମ୍ଭ ହେଇଥିଲା । ବିଧିର ବିଧାନ ଏମିତି ହେଲା ଯେ, ବୟସ ବଢ଼ିବା ପରେ ଜଗତାନନ୍ଦ ଘରର ଆସଭାଵ ପତ୍ର ଭଙ୍ଗାରୁଜା କରିବା ସହ ଏଣେ ତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଟଙ୍କା ପଇସା ଖର୍ଚ୍ଚ କରି ପରିବାର ଲୋକ ତାଙ୍କୁ ଡାକ୍ତର ଦେଖାଇଥିଲେ ମଧ୍ୟ କିଛି ବି ସୁଧାର ଆସିନଥିଲା।

ବଡ ଡାକ୍ତରଖାନା କୁ ନେବାପାଇଁ ପାଖରେ ଅର୍ଥ ମଧ୍ୟ ଦାଉ ସାଜିଲା। ବାପା, ମା ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ଗୋଡ଼ରେ ପକାଇ ଦେଲେ ଲୁହାର ଶିକୁଳି। ଏମିତି 10 ବର୍ଷ ଧରି ବନ୍ଧି ଜୀବନ କାଟୁଛନ୍ତି ଜଗତାନନ୍ଦ। ସେତିକି ରେ ପରିବାର ର ଦୁଃଖ ସରିନଥିଲା ଯେ ଝିଅ ଚନ୍ଦ୍ରିକା ର ମଧ୍ୟ ସମାନ ଅବସ୍ଥା ହୋଇଗଲା। ଚନ୍ଦ୍ରିକା ମଧ୍ୟ ଜଣେ ଜ୍ଞାନୀ ଛାତ୍ରୀ ଥିବା ବେଳେ ସେ ମଧ୍ୟ ଧୀରେଧୀରେ ତାଙ୍କ ଭାଇ ଭଳି ଅବସ୍ଥା ଭିତରେ ଗତି କରିଥିଲେ। କେତେବେଳେ ଚନ୍ଦ୍ରିକା ଘର ଭିତରେ ହସୁଛନ୍ତି, କାନ୍ଦୁଛନ୍ତି ତ ପୁଣି ଗାଁ ସାରା ଗୁରୁଗୁରୁ ହୋଇ ବୁଲୁଛନ୍ତି।

ଏମିତି ପରିସ୍ଥିତି ଭିତରେ ଏବେ ଗୋପୀନାଥଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଯେଉଁଠି ପୁଅ, ଝିଅଙ୍କ ଏପରି ଅବସ୍ଥା ସେଠି ବା ଜଣେ ଦିନ ମଜୁରିଆ କେମିତି ସେମାନଙ୍କ ଚିକିତ୍ସା କରାଇବେ ସେ ଚିନ୍ତାରେ ରହିଛନ୍ତି । ଏହି ପରିବାରର ଏମିତି ଦୁର୍ଦ୍ଦଶାକୁ ଦୃଷ୍ଟି ଦେଇ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ହୁଏତ ପରିବାରଟି ଟିକେ ଶାନ୍ତି ଓ ଖୁସି ଅନୁଭବ କରିପାରନ୍ତା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details