ବାଲେଶ୍ବର:ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ । ଭଉଣୀ ଭାଇର ପବିତ୍ର ବନ୍ଧନକୁ ବାନ୍ଧି ରଖିବ ରେଶମୀ ସୂତା । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ଭାଇ ପାଖରେ ଦାବି ରଖିବ । ସୂତା ଖିଅଟିଏ ହାତରେ ବାନ୍ଧିବା ପରେ ଭାଇ ଭଉଣୀଙ୍କ ଭିତରେ ଥିବା ସେ ଅନାବିଳ ସ୍ନେହ ମମତା ଆହୁରୁ ଦୃଢ଼ ହୋଇଯିବ । ଏହି ଅବସରରେ କିଛିଦିନ ଆଗରୁ ବଜାରରେ ରାକ୍ଷୀ ଦୋକାନର ପସରା ମେଲିଯାଏ । ଫ୍ୟାନ୍ସି ରାକ୍ଷୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରାକ୍ଷୀ ଆଖିକୁ ବେଶ ଆକର୍ଷିତ କରିଥାଏ । ମାତ୍ର ଚଳିତ ଥର ବାଲେଶ୍ଵରର ଛାତ୍ରୀ ସୁଶ୍ରୀ ତନ୍ମୟୀ ପାଢ଼ୀ ଇକୋ ଫ୍ରେଣ୍ଡଲି ରାକ୍ଷୀ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ।
ତନ୍ମୟୀ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଶେଷବର୍ଷର ଛାତ୍ରୀ । ପିଲାଟି ଦିନରୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । କିଛି ନୂଆ କରିବାର ପ୍ରୟାସ ତାଙ୍କୁ ଆଜି ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତନ୍ମୟୀ ପୂର୍ବରୁ କାଗଜରେ ବିଭିନ୍ନ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ଇକୋ ଫ୍ରେଣ୍ଡଲି ରାକ୍ଷୀ ତିଆରି କରି ପ୍ରଶଂସା ସାଉଁଟିଛନ୍ତି । ଅଦରକାରୀ ସାମଗ୍ରୀରୁ ତିଆରି କରୁଛନ୍ତି ଆକର୍ଷଣୀୟ ରାକ୍ଷୀ । ଝୋଟ ସୂତା, କାଗଜ ଓ କିଛି ସାଜସଜ୍ଜା ସାମଗ୍ରୀରେ ନିଜ ହାତରେ ରାକ୍ଷୀ ତିଆରି କରୁଛନ୍ତି । ବଜାରରେ ମିଳୁଥିବା ବିଭିନ୍ନ ଚକମକ ରାକ୍ଷୀଠାରୁ ତନ୍ମୟୀଙ୍କ ରାକ୍ଷୀ ଟିକେ ଭିନ୍ନ । ଏଥିରେ କୌଣସୀ କେମିକାଲ ଯୁକ୍ତ ରଙ୍ଗ କିମ୍ବା ପ୍ଲାଷ୍ଟିକର ବ୍ୟବହାର କରାଯାଇନାହିଁ । ପରିବେଶ ଉପଯୋଗୀର ବାର୍ତ୍ତା ଦେଇ ଭାଇମାନଙ୍କୁ ହାତ ତିଆରି ରାକ୍ଷୀ ବାନ୍ଧିବାର ଲକ୍ଷ୍ୟ ନେଇ ତନ୍ମୟୀ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଘରେ ପଡିଥିବା କାଗଜ ସାଙ୍ଗକୁ ଝୋଟ ସୂତାରେ ଅଠା ଦେଇ ଅତି ସୁନ୍ଦର ଭାବେ ରାକ୍ଷୀ ତିଆରି କରୁଛନ୍ତି । ଏଥିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ଥିବା ବେଳେ ତିଆରି ପାଇଁ ବହୁତ କମ ସମୟ ଲାଗୁଥିବା ତନ୍ମୟୀ କୁହନ୍ତି ।