ବାଲେଶ୍ବର:ଜିଲ୍ଲା ସୋର ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କୁ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସ୍କୁଲ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପ୍ରତିବାଦରେ ଏମିତି ମାଡ଼ ମରାଯାଇଥିବା କୁହାଯାଉଛି । ତେବେ ସୋର ଥାନାରେ ଏନେଇ ବିଇଓ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ସୋର ବ୍ଲକ ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ବାଳଙ୍କ ଅନ୍ୟତ୍ର ବଦଳି ହୋଇଥିଲା । ମାତ୍ର କିଛି ଅଭିଭାବକଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଶିକ୍ଷକ ପାଠ ପଢ଼ାନ୍ତି ନାହିଁ ଏବଂ 5T ରୂପାନ୍ତର କାର୍ଯ୍ୟରେ ବ୍ୟାପକ ହେରଫେର ସାଙ୍ଗକୁ ଅନୁସୂଚିତ ଜାତି ଓ ଅନୁସୂଚିତା ଜନଜାତି ଅର୍ଥ ହଡପ ଭଳି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଜୟ ବିଶ୍ବାଳ ଭଲ ପାଠ ପଢ଼ାଉଥିବା କିଛି ଅଭିଭାବକ ସମର୍ଥନ କରିଛନ୍ତି ।
ଏହା ବି ପଢନ୍ତୁ- ଉଦାହରଣ ସାଜିଲେ ବିଧାୟକ, ସ୍କୁଲ ପରିଭ୍ରମଣ ବେଳେ କଲେ ଶୌଚାଳୟ ସଫେଇ
ଏମିତି ଅଭିଭାବକଙ୍କ ମଧ୍ୟରେ ଦୁଇଗୋଷ୍ଠୀ ହୋଇ ସ୍କୁଲ ସମ୍ମୁଖରେ ପ୍ରତିବାଦ ସ୍ବରୂପ ଧାରଣା ଦିଆଯାଇଥିଲା । ଯାହାଦ୍ବାରା ଆଜି ବିଦ୍ୟାଳୟରେ ପାଠପଢା ବାଧାପ୍ରାପ୍ତ ହୋଇଥିଲା । ଏହାରି ଭିତରେ ସୋର ବ୍ଳକରେ ଆଜି ମିଳିତ ଜନ ଶୁଣାଣି ଶିବିର ଚାଲିଥିବା ବେଳେ ସେଠାରେ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା ଉପସ୍ଥିତ ଥିଲେ । ସେଠାରୁ ଫେରିବା ବେଳେ ସ୍କୁଲର ଏମିତି ବ୍ୟବସ୍ଥାକୁ ନେଇ କିଛି ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ମାଡ଼ ମାରିଥିଲେ।