ବାଲେଶ୍ବର: ଦୃଢଇଚ୍ଛା ଶକ୍ତି ଆଗରେ ହାର ମାନେ ଦାରିଦ୍ର୍ୟ । ଅଭାବ ଅନାଟନ ବେଳେବେଳେ ମଣିଷକୁ ଦୃଢ କରି ନିଜକୁ ନିଜେ ଚିହ୍ନିବାର ମାଧ୍ୟମ ହୋଇଥାଏ । ମମତାଙ୍କ କ୍ଷେତ୍ରରେ ମଧ୍ୟ କିଛି ଏପରି ଘଟିଛି । ନିଜ ପରିଶ୍ରମରେ ସେ ହୋଇପାରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଦାରିଦ୍ର୍ୟ ଅଟକାଇପାରିନି ସ୍ବପ୍ନ ସାକାର କରିବାର ଯୋଶ୍ । ସେ ଲୋକୋ ପାଇଲଟ ଭାବେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।
ମମତାଙ୍କ ବାପା ଚାଷୀ ଆଉ ମାଆ ଗୃହିଣୀ । ପିଲାଟି ଦିନରୁ ପାଠପଢାରେ ଆଗୁଆ ଥିଲେ ମମତା । ମାତ୍ର ବାଧକ ସାଜିଥିଲା ଅର୍ଥ । ଆଶା ଛାଡିନଥିଲେ ମାଆ । ଝିଅ ହାତରେ ଗୁଞ୍ଜି ଦେଉଥିଲେ ନିଜ ସିଲେଇ ଅର୍ଥ । ଘର ଲୋକଙ୍କ ବାରଣ ସତ୍ତ୍ବେ ଛାଡିଥିଲେ ଘର । ବୃଥା ଯାଇନଥିଲା ପ୍ରୟାସ । 2013ରେ ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର ଡିଭିଜନରେ ପାଇଲେ ଆସିଷ୍ଟାଣ୍ଡ ପାଇଲଟ ନିଯୁକ୍ତି । କିନ୍ତୁ ଝିଅ ହୋଇଥିବାରୁ ଚାରିଆଡୁ ଶୁଭିଥିଲା ନିରୁତ୍ସାହିତର ବାଣୀ । ହେଲେ ସେ ହାର ମାନିନଥିଲେ । ଆଉ ତାଙ୍କ ଦୃଢ ଇଚ୍ଛାଶକ୍ତି ତାଙ୍କୁ ଦେଇଥିଲା ସଫଳତା । ପାଲଟିଥିଲେ ଲୋକୋ ପାଇଲଟ । ପ୍ରଥମେ ମାଲବାହୀ ଟ୍ରେନ ଓ ପରେ ଚଲାଇଥିଲେ ପାସେଞ୍ଜର ଟ୍ରେନ ।