ବାଲେଶ୍ଵର: ଜିଲ୍ଲାର ସଦର ଉପନିର୍ବାଚନ ନେଇ ବିଭିନ୍ନ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ଦଳ ମଧ୍ୟ ଏଥିରୁ ବାଦ ପଡିନି। ଦଳର ବିଭିନ୍ନ ନେତା ଓ ବିଧାୟକକୁ ନେଇ ଆଲୋଚନା କରିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ।
ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା 3ଦିନ ଧରି ବାଲେଶ୍ବରର ସଦରର ବିଭିନ୍ନ ନେତା ଓ ଵିଧାୟକଙ୍କୁ ନେଇ ଘନଘନ ଆଲୋଚନା କରୁଛନ୍ତି। ନେତାମାନଙ୍କ ସମର୍ଥକମାନେ ମନ୍ତ୍ରୀଙ୍କ ପାଖରେ ପହଞ୍ଚୁଛନ୍ତି। ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ଦଳ ଛାଡିବା କଥା ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ରବୀନ୍ଦ୍ର କହିଛନ୍ତି ‘ସେ ଦଳ ସହିତ ଥିଲେ ଓ ରହିବେ। ଦଳ ଯାହା ନିଷ୍ପତ୍ତି ନେବ ତାହା ସେ କାର୍ଯ୍ୟକାରୀ କରିବେ।’ ଏମିତିକି ସେ ପ୍ରାର୍ଥୀହେବା କଥାରେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନାହାଁନ୍ତି। ଅନ୍ୟପଟେ ରବିନ୍ଦ୍ରଙ୍କ ସମର୍ଥକମାନେ ପ୍ରାର୍ଥୀ ଭାବେ ରବିନ୍ଦ୍ରଙ୍କ ନାମ ମନୋନୀତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାସହ ଦଳ ଭିତରେ ଥିବା ପୁରୁଖା ନେତାମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି।