ହାଇଦ୍ରାବାଦ: ଅତ୍ୟଧିକ ଋଣଗ୍ରସ୍ତ ଥିଲେ ଏଥିରୁ ଶୀଘ୍ର ମୁକୁଳିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ଅନେକ ଲୋକ ଋଣ ବୋଝ ସହିନପାରି ଆତ୍ମହତ୍ୟା କରୁଥିବାର ଦେଖାଯାଏ । ଏଥିପାଇଁ ଲୋନ ନେବା ପରଠାରୁ ଏହାର ଯଥାସମ୍ଭବ ପରିଶୋଧ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଅଧିକ ଋଣ କରିଛନ୍ତି ତାହାହେଲେ ସର୍ବପ୍ରଥମେ ନିଜର କ୍ରେଡିଟ କାର୍ଡ ବନ୍ଦ କିମ୍ବା ଫ୍ରିଜ୍ କରିବା ଆବଶ୍ୟକ । ଯେ ପର୍ଯ୍ୟନ୍ତ ଆପଣ ପୁରୁଣା ଲୋନ ପରିଶୋଧ ନକରିଛନ୍ତି ସେତେପର୍ଯ୍ୟନ୍ତ ଯେକୌଣସି ପରିସ୍ଥିତିରେ ନୂଆ ଲୋନ ନିଅନ୍ତୁ ନାହିଁ । ପୂର୍ବରୁ ଲୋନ ପାଇବାରେ ଅନେକ ଜଟିଳତା ଥିଲା । ମାତ୍ର ଡିଜିଟାଲାଇଜେସନ ଯୋଗୁଁ ଆଜିକାଲି ଖୁବ୍ ସହଜରେ ଲୋନ ମିଳିଯାଉଛି । ଅତ୍ୟାବଶ୍ୟକ ନଥିଲେ ଆପଣ କୌଣସି ଲୋନ ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ ।
ଆଜିକାଲି କୌଣସି ସାମଗ୍ରୀ କ୍ରୟ ପାଇଁ ନଗଦ ରାଶିର ଆବଶ୍ୟକତା ପଡୁନାହିଁ । କାରଣ ବ୍ରିକେତା EMI(equated monthly installment)ରେ ସାମଗ୍ରୀ ବିକ୍ରୟ ସୁବିଧା ପ୍ରଦାନ କରୁଛନ୍ତି । ସାଧରଣତଃ ପାର୍ବଣ ସମୟରେ ଏହିଭଳି ଅନେକ ଅଫର ମିଳିଥାଏ । ଅଧିକାଂଶ ଗ୍ରାହକ ଏହି ଅଫର ଲୋଭରେ ଅଯଥା ସାମଗ୍ରୀ କ୍ରୟ କରୁଥିବାର ଦେଖାଯାଏ । ଏହାଦ୍ବାରା ଆପଣ ଋଣ ଜାଲରେ ଛନ୍ଦି ହୋଇଯାଇଥାନ୍ତି । ତେଣୁ ଭବିଷ୍ୟତର ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଏହିଭଳି ଲୋନରୁ ଦୂରେଇ ରୁହନ୍ତୁ ।
ପର୍ବପର୍ବାଣି ସମୟରେ କେତେ ଟଙ୍କା ବ୍ୟୟ କରିବେ ତାହା ପୂର୍ବରୁ ଆକଳନ କରନ୍ତୁ । ଆପଣ କେତେ ଲୋନ କରିଛନ୍ତି, ତାହାର ଅବଧି ଏବଂ ପ୍ରତି ଲୋନରେ କେତେ ସୁଧ ଦେଉଛନ୍ତି ତାହା ବିଚାର କରନ୍ତୁ । ଏହାସହିତ ବ୍ୟକ୍ତିଗତ ଏବଂ Buy Now Pay Later (ଏବେ ନିଅନ୍ତୁ, ପରେ ଦିଅନ୍ତୁ) ଲୋନ ଆଦିର ତାଲିକା ବନାନ୍ତୁ । ସ୍ପଷ୍ଟତା ପାଇଁ ଗୋଟିଏ ସ୍ଥାନରେ ପୁରୁଣା ଲୋନ ଓ ନୂଆ ଲୋନ ଲେଖି ରଖନ୍ତୁ । ଏହାପରେ ଆପଣ ନିଜର ବଳକା ଆୟରୁ କେମିତି ଏହି ଲୋନ ପରିଶୋଧ କରିବେ ସେନେଇ ଯୋଜନା ପ୍ରସ୍ତୁତ କରନ୍ତୁ ।