ଓଡିଶା

odisha

ETV Bharat / business

Health Insurance: ସ୍ବାସ୍ଥ୍ୟ ବୀମାରେ ପ୍ରତୀକ୍ଷା ଅବଧି କଣ ? - ଇନାଡୁ ସିରି ବ୍ୟବସାୟ ଖବର

ସ୍ବାସ୍ଥ୍ୟ ବୀମାକୁ ନେଇ ଲୋକଙ୍କ ମନରେ ଅନେକ ଭୁଲ୍ ଧାରଣା ରହିଛି । ବିଶେଷକରି ଅଧିକାଂଶ ପଲିସିଧାରକଙ୍କ ବୀମାର ପ୍ରତୀକ୍ଷା ଅବଧି ସମ୍ପର୍କରେ ଧାରଣା ନଥାଏ । ଯାହାଫଳରେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜାଣନ୍ତୁ ଏହି ପ୍ରତୀକ୍ଷା ଅବଧି କ'ଣ ?

Health Insurance
Health Insurance

By

Published : Jan 26, 2023, 7:49 AM IST

ହାଇଦ୍ରାବାଦ: ପ୍ରତିଟି ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ନିହାତି ଜରୁରୀ । ଆପଣ ଆର୍ଥିକ ରୂପେ କେତେ ବ୍ୟବସ୍ଥିତ ତାହା ଏହି ବୀମା ଦର୍ଶାଇଥାଏ । ଯଦି ଆପଣ ବ୍ୟାପକ ସ୍ବାସ୍ଥ୍ୟ କଭର(comprehensive health cover) ନେଇଥାନ୍ତି, ଏହା ହେଲଥ୍ ଏମର୍ଜେନ୍ସି ସମୟରେ ବିଶେଷ ସହାୟକ ହୋଇଥାଏ । ଅର୍ଥାତ୍ ଚିକିତ୍ସା ଜନିତ ବ୍ୟୟ ଭାର ପଲିସିଧାରକଙ୍କ ପକେଟ ଉପରେ ପଡିନଥାଏ । ତେବେ ସ୍ବାସ୍ଥ୍ୟ କଭର ନେବା ସମୟରେ ଏହାର ନିୟମ ଓ ସର୍ତ୍ତାବଳୀଗୁଡିକୁ ଭଲ ଭାବେ ପଢିବା ଜରୁରୀ । ଅନେକ ଲୋକଙ୍କ ଧାରଣା ରହିଛି, ସ୍ବାସ୍ଥ୍ୟ ବୀମା ପଲିସି ନେବା ଦିନରୁ ଏହା ତାଙ୍କର ଚିକିତ୍ସା ବ୍ୟୟ ଭରଣା କରେ । ମାତ୍ର ଏହା ଭାବିବା ଭୁଲ । ଏହି ସୁବିଧା କେବଳ ଦୁର୍ଘଟଣା କ୍ଷେତ୍ରରେ ଲାଗୁ ହୋଇଥାଏ । ବୀମା କମ୍ପାନୀଗୁଡିକ ବିଭିନ୍ନ ପ୍ରକାର ରୋଗଗୁଡିକର କଭର ପାଇଁ ପ୍ରତୀକ୍ଷା ଅବଧି ବା ୱେଟିଂ ପିରିୟଡ ଧାର୍ଯ୍ୟ କରିଥାନ୍ତି ।

ସ୍ବାସ୍ଥ୍ୟ ପଲିସି ନେବା ମାତ୍ରେ ଏଥିରେ ପ୍ରତୀକ୍ଷା ଅବଧି ଆରମ୍ଭ ହୋଇଥାଏ । ଆପଣ ଜାଣିରଖିବା ଉଚିତ୍ ଯେ, ପଲିସିଧାରକ ସ୍ବାସ୍ଥ୍ୟ ବୀମା ନେବାର କିଛି ଦିନ ପରେ ବ୍ୟାଧିଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କୌଣସି ଚିକିତ୍ସା ଖର୍ଚ୍ଚ ମିଳିନଥାଏ । ପ୍ରତୀକ୍ଷା ଅବଧି ପରେ ହିଁ ପଲିସିଧାରକଙ୍କୁ କଭରେଜ ମିଳିଥାଏ । ଏହାକୁ କୁଲିଂ ଅଫ୍ ପରିଅଡ କୁହନ୍ତି । ସମ୍ପୂର୍ଣ୍ଣ ପଲିସିର ଲାଭ ପାଇବାକୁ ହେଲେ ପଲିସିଧାରକଙ୍କୁ ଅତିକମରେ ୩୦ଦିନ ଅପେକ୍ଷା କରିବାକୁ ପଡିଥାଏ । ତେବେ ଏହି ପ୍ରତୀକ୍ଷା ଅବଧି ଦୁର୍ଘଟଣା ସ୍ଥିତିରେ ପ୍ରଯୁଜ୍ୟ ନୁହେଁ । ଯଦି ଆପଣ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ତୁରନ୍ତ ବୀମା କଭର ମିଳିଥାଏ ।

ସ୍ବାସ୍ଥ୍ୟ ବୀମା ପଲିସି ନେବା ପରେ କିଛି ରୋଗ ପାଇଁ ନିର୍ଦ୍ଧିଷ୍ଟ ପ୍ରତୀକ୍ଷା ଅବଧି ରହିଥାଏ । ଏହି ସମୟ ପୂର୍ବରୁ ରୋଗର ଚିକିତ୍ସା ପାଇଁ ବୀମା କମ୍ପାନୀ ଦ୍ବାରା କ୍ଲେମ ଗ୍ରହଣ କରାଯାଇପାରିବ ନାହିଁ । ପଲିସି ଆଧାରରେ ପ୍ରତୀକ୍ଷା ଅବଧି ଭିନ୍ନ ହୋଇଥାଏ । ପଲିସି ନେବା ସମୟରେ ଏହାର ପ୍ରାବଧାନ ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ରଖିବା ଜରୁରୀ । କେଉଁ ରୋଗ ଏବଂ କେବେ ଯାଏଁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ, ତାହା ପଲିସି ଡକ୍ୟୁମେଣ୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଥାଏ । ତେଣୁ ଏହାକୁ ଭଲ ଭାବେ ପଢି ବୁଝିବା ଆବଶ୍ୟକ ।

ସେହିପରି ଯଦି ସ୍ବାସ୍ଥ୍ୟ ପଲିସି ନେବା ପୂର୍ବରୁ ଆପଣଙ୍କ ଠାରେ କୌଣସି ରୋଗ ଥାଏ ତେବେ ସଙ୍ଗେସଙ୍ଗେ କଭର ମିଳିନଥାଏ । ଏଥିପାଇଁ ବୀମା କମ୍ପାନୀ କେତେକ ସର୍ତ୍ତ ରଖିଥାନ୍ତି । ଏହି ରୋଗଗୁଡିକ ହେଲା ଉଚ୍ଚ ରକ୍ତଚାପ, ମଧୁମେହ, ଥାଇରଏଡ ଏବଂ ଶ୍ବାସରୋଗ । ଏହିସବୁ ରୋଗଗୁଡିକର ଚିକିତ୍ସା ଖର୍ଚ୍ଚ କଭର ପାଇଁ ଆପଣଙ୍କୁ ୨ରୁ ୪ ବର୍ଷ ଅପେକ୍ଷା କରିବାକୁ ପଡିଥାଏ । ହାର୍ନିଆ, ମୋତିଆବିନ୍ଦୁ ଭଳି ଅସ୍ତ୍ରୋପଚାର ପାଇଁ ମଧ୍ୟ ବୀମା କମ୍ପାନୀ ସ୍ବତନ୍ତ୍ର ପ୍ରତୀକ୍ଷା ଅବଧି ନିର୍ଦ୍ଧାରିତ କରିଥାଏ । ଏହି ଅବଧି ୨ରୁ ୪ ବର୍ଷ ହୋଇପାରେ ।

ତେବେ ଏହି ପ୍ରତୀକ୍ଷା ଅବଧି ହ୍ରାସ କରିବାର ଅନେକ ଉପାୟ ମଧ୍ୟ ଅଛି । ଅବଧି କମ୍ କରିବାକୁ ଚାହୁଁଥିଲେ ଆପଣଙ୍କୁ ଅତିରିକ୍ତ ପ୍ରିମିୟମ ଦେବାକୁ ପଡିବ । ତେବେ ଅବଧି କେତେମାତ୍ରାରେ କମିବ ତାହା ବୀମା କମ୍ପାନୀ ଓ ପଲିସିର ପ୍ରକାର ଉପରେ ନିର୍ଭର କରେ । ଏଥିପାଇଁ କମ୍ପାନୀ ସହ ପ୍ରଥମେ ଆଲୋଚନା କରନ୍ତୁ । ସେହିପରି ପଲିସି ନେବା ସମୟରେ ସମସ୍ତ ଦସ୍ତାବିଜକୁ ଯତ୍ନର ସହ ଯାଞ୍ଚ କରନ୍ତୁ ।

ଅସୁସ୍ଥତା ସମୟରେ କଠିନ ଆର୍ଥିକ ସ୍ଥିତିରୁ ଏହି ସ୍ବାସ୍ଥ୍ୟ ବୀମା ସୁରକ୍ଷା ଦେଇଥାଏ । ମଧ୍ୟବିତ୍ତ ହୁଅନ୍ତୁ କିମ୍ବା ଗରିବ ଶ୍ରେଣୀର, ଲୋକେ ଅର୍ଥ ସଞ୍ଚୟ ବା କୌଣସି ସ୍ବାସ୍ଥ୍ୟ ବୀମା କରିନଥିଲେ ଅନେକ ଅସୁବିଧାରେ ପଡିଥାନ୍ତି । ତେଣୁ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସମ୍ପ୍ରତ୍ତି ଲୋକମାନେ ସ୍ବାସ୍ଥ୍ୟବୀମା ପ୍ରତି ବେଶ୍ ଆଗ୍ରହୀ ହେଉଛନ୍ତି ।

ABOUT THE AUTHOR

...view details