ନୂଆଦିଲ୍ଲୀ: ସାରା ଭାରତବର୍ଷ ରେ 1309 ଟି ଷ୍ଟେସନର ପୁର୍ନବିକାଶ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ ହୋଇଛି । ଏହି ରେଲୱେ ମିସନ ଚଳିତ ବର୍ଷ ଫେବୃଆରୀ ମାସରୁ ଆରମ୍ଭ କରାଯାଇଛି । ଦେଶରେ ରେଳୱେ ଷ୍ଟେସନରେ ଯାତ୍ରା ମାନଙ୍କ ପାଇଁ ଉନ୍ନତ ସୁବିଧା ବ୍ୟବସ୍ଥା କରିବା, ଉତ୍ତମ ଯାତାୟାତ ବ୍ୟବସ୍ଥା, ଇଣ୍ଟର ମଡେଲ ଏକତ୍ରୀକରଣ ଏବଂ ଉନ୍ନତ ମାନର ସାଇନେଜ ବୋର୍ଡର ବନ୍ଦୋବସ୍ତ ଏବଂ ପ୍ଲାଟଫର୍ମ ଓ ଟିକଟ କେନ୍ଦ୍ରଗୁଡିକର ଆଧୁନିକୀକରଣ ଆଦି କାର୍ଯ୍ୟକ୍ରମ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ନଭେମ୍ବର 2023 ମଧ୍ୟରେ ସମ୍ପୂର୍ଣ୍ଣ ଭାରତରେ 508ଟି ରେଳ ଷ୍ଟେସନର ପୁର୍ନବିକାଶର ଆଧାର ଶିଳା ସ୍ଥାପନ ହୋଇସାରିଛି ।
ଅମୃତ ଭାରତ ଷ୍ଟେସନ ଯୋଜନାର କିଛି ପ୍ରମୁଖ ବିଶେଷତା
1. ଆଧୁନିକ ଯାତ୍ରୀ ସୁବିଧା- ଏଥିରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ସ୍ବଛ ପ୍ରତୀକ୍ଷାଳୟ, ଶୌଚାଳୟ, ଖାଦ୍ୟପେୟର ଦୋକାନ ଗୁଡିକୁ ସାମିଲ କରାଯାଇଛି ।
2.ଉନ୍ନତ ଯାତାୟାତ ସଂଚାଳନ- ଏହା ଅନ୍ତର୍ଗତ ଯାତ୍ରୀ ମାନଙ୍କ ଏବଂ ଯାନବାହନ ପାଇଁ ଅଲଗା ପ୍ରବେଶ ଏବଂ ପ୍ରସ୍ଥାନ ବାଟ ତିଆରି କରିବା, ସଡକ ଏବଂ ଫୁଟପାଥକୁ ଅଧିକ ଚଉଡା କରିବା, ପର୍ଯ୍ୟାପ୍ତ ପାର୍କିଂର ସୁବିଧା ରହିବା ଆଦିର ବନ୍ଦୋବସ୍ତ ରହିଛି ।
3. ଇଣ୍ଟର ମଡେଲ ଏକତ୍ରୀକରଣ- ଏହି ଯୋଜନାରେ ରେଳ ଷ୍ଟେସନ ସହିତ ବସ୍, ଟ୍ୟାକ୍ସି, ଅଟୋରିକ୍ସାକୁ ସହଜରେ ଯୋଡିବାର ବ୍ୟବସ୍ଥା ରହିଛି ।
4. ଆଡଭାନ୍ସ ସାଇନେଜ- ଏଥିରେ ଯାତ୍ରୀ ମାନଙ୍କ ମାର୍ଗଦର୍ଶନ ପାଇଁ ବିଭିନ୍ନ ଭାଷାରେ ସ୍ପଷ୍ଟ ଭାବେ ଦେଖାଯାଉଥିବା ସାଇନେଜ ସାମିଲ ରହିଛି ।
5. ସ୍ଥିରତା -ଏହି ଯୋଜନାରେ ଟ୍ରେନ ତଥା ପ୍ଲାଟଫର୍ମ ରେ ବିଦ୍ୟୁତ ମିତବ୍ୟୟୀ ଲାଇଟ ସହିତ ଅନ୍ୟାନ୍ୟ ବିଦ୍ୟୁତ ଉପକରଣର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି ।
6. ପରିବେଶ ମିତ୍ରତା -ଏହି ଯୋଜନାରେ ବର୍ଷାଜଳ ସଂଚୟ ପ୍ରଣାଳୀ ସହ ଗୋଡି ପଥର ରହିତ ଟ୍ରାକ୍ ରହିବ ଯାହା ଯାତ୍ରା ସମୟର ଶବ୍ଦ ଏବଂ କମ୍ପନକୁ କମ କରିବ ।
ଏହା ମଧ୍ୟ ପଢନ୍ତୁ ...Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି
ଅମୃତ ଭାରତ ଷ୍ଟେସନ ଯୋଜନା ଭାରତର ରେଳ ସେବା କ୍ଷେତ୍ରରେ ମୌଳିକ ବୁନିଆଦି ଢାଂଚାର ସୁଧାର ଆଣିବା ଏବଂ ଯାତ୍ରୀ ମାନଙ୍କୁ ଏକ ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ କରିବା ଦିଗରେ ଏକ ମହତ୍ବପୂର୍ଣ ପ୍ରୟାସ ଅଟେ । ଏହା ଦ୍ବାରା ଆଖପାଖର କ୍ଷେତ୍ରର ଆର୍ଥିକ ବିକାଶରେ ମଧ୍ୟ ବୃଦ୍ଧି ହେବ । ରେଳ ଷ୍ଟେସନରେ ନିତିଦିନିଆ ଅନିୟନ୍ତ୍ରିତ ଭିଡ , ଅପର୍ଯ୍ୟାପ୍ତ ଯାତ୍ରୀ ସୁବିଧା ତଥା ଟ୍ରେନରେ ମିଳୁଥିବା ଖରାପ ମାନର ସେବା ଏବଂ ସୁବିଧାକୁ ମୁକାବିଲା କରିବା ପାଇଁ ଭାରତୀୟ ରେଳ ବ୍ୟବସ୍ଥାର ପୁର୍ନବିନ୍ୟାସ ଜରୁରୀ ଅଟେ । ତେବେ ଏଥିପାଇଁ କେନ୍ଦ୍ର ସରକାର ପକ୍ଷରୁ 1300 ରେଳ ଷ୍ଟେସନ ମଧ୍ୟରୁ 508 ଟି ଅମୃତ ଭାରତ ଷ୍ଟେସନର ପୁର୍ନବିନ୍ୟାସ ତଥା ନବୀକରଣ ପାଇଁ 25000 କୋଟି ଟଙ୍କାର ବଜେଟ ବ୍ୟବସ୍ଥା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ