ହାଇଦ୍ରାବାଦ:ଲୋନ ମିଳିବାରେ କ୍ରେଡିଟ ସ୍କୋର ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । କୌଣସି ବ୍ୟକ୍ତି ଲୋନ ଆବେଦନ କଲେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ତାଙ୍କର କ୍ରେଡିଟ ସ୍କୋର ଯାଞ୍ଚ କରିଥାନ୍ତି । ଏହି ସ୍କୋର ଜରିଆରେ ସହଜରେ ଲୋନ ମଞ୍ଜୁର ହୋଇପାରେ, ନାମଞ୍ଜୁର ମଧ୍ୟ ହୋଇପାରେ (Credit score can make or break your loan) । ଏପରିକି ଅଧିକାଂଶ କମ୍ପାନୀ ମଧ୍ୟ ନିଯୁକ୍ତି ସମୟରେ କ୍ରେଡିଟ ସ୍କୋର ଚେକ୍ କରୁଥିବା ଦେଖାଯାଏ । ୩ ଅଙ୍କ ବିଶିଷ୍ଟ ସ୍କୋର ଆପଣଙ୍କ ଆର୍ଥିକ ସ୍ଥିତି ଦର୍ଶାଏ ଏବଂ ଲୋନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରେ । ତେବେ ଜାଣନ୍ତି କି, ସାମାନ୍ୟ ତ୍ରୁଟି ଆପଣଙ୍କ କ୍ରେଡିଟ ସ୍କୋର ନଷ୍ଟ କରିଥାଏ । ଏଥିପାଇଁ ସର୍ବଦା ଉଚ୍ଚ କ୍ରେଡିଟ ସ୍କୋର ବଜାୟ ରଖିବା ଦିଗରେ ଯତ୍ନବାନ ହେବା ଜରୁରୀ ।
ଯଦି ଆପଣଙ୍କ କ୍ରେଡିଟ ସ୍କୋର(Credit score) ଖୁବ୍ କମ୍ ରହିଛି, ତାହାହେଲେ ତୁରନ୍ତ ଏହାର କାରଣ ବିଶ୍ଲେଷଣ କରନ୍ତୁ । ବେଳେବେଳେ କ୍ରେଡିଟ ରିପୋର୍ଟରେ ଛୋଟ ଭୁଲ୍ ଆପଣଙ୍କ ସ୍କୋର ହ୍ରାସ କରିଥାଏ । ରେଟିଂ ଏଜେନ୍ସି ସହ ଯୋଗାଯୋଗ କରି ଏହାକୁ ସଂଶୋଧନ କରାଯାଇ ପାରିବ । ସେହିପରି ଆବଶ୍ୟକ ନଥାଇ ମଧ୍ୟ ଲୋନ ଆବେଦନ କରିବା ଦ୍ବାରା କ୍ରେଡିଟ ସ୍କୋର ଖରାପ ହୋଇଥାଏ । ତେଣୁ ଏଥିପ୍ରତି ସଜାଗ ରୁହନ୍ତୁ । ସାଧାରଣତଃ ଲୋନଦାତା ଲୋନ ଆବେଦନ ବିଚାର କରିବା ସମୟରେ ଆବେଦନକାରୀଙ୍କ ୭୫୦ରୁ ଅଧିକ କ୍ରେଡିଟ ସ୍କୋର ଦେଖିଥାନ୍ତି । ଯଦି ଆବେଦନକାରୀଙ୍କ ସ୍କୋର କମ୍ ଥାଏ, ସେ ଏହାକୁ ଖାରଜ କରିଦେଇଥାନ୍ତି ।
୩୦୦ରୁ ୯୦୦ ପର୍ଯ୍ୟନ୍ତ କ୍ରେଡିଟ୍ ସ୍କୋର୍ ଆପଣଙ୍କ ଋଣ ପରିଶୋଧ କ୍ଷମତାକୁ ଦର୍ଶାଇଥାଏ । ଯଦି କ୍ରେଡିଟ୍ ସ୍କୋର୍ ୭୫୦ରୁ ଅଧିକ, ତା'ହେଲେ ଆର୍ଥିକ ସଂସ୍ଥାଗୁଡିକ ଆପଣଙ୍କୁ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ବିବେଚିତ ହୁଅନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର୍ ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବେଦନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ ।