ହାଇଦ୍ରାବାଦ: ଦୀର୍ଘ ବର୍ଷର କର୍ମଜୀବନରୁ ଅବସର ପରେ ସମସ୍ତେ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହାଁନ୍ତି । ଅବସର ପରେ ଜଣେ ବ୍ୟକ୍ତି ସେତେବେଳେ ଚାପମୁକ୍ତ ଓ ଆରାମଦାୟକ ଜୀବନ ଜୀଇଁପାରିବ, ଯେତେବେଳେ ତାଙ୍କ ଉପରେ କୌଣସି ଆର୍ଥିକ ଚାପ ନଥିବ । ତେଣୁ ଆପଣ ରୋଜଗାର କରୁଥିବା ସମୟରେ ହିଁ ଅବସରର ପରବର୍ତ୍ତୀ ସମୟ ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ଜରୁରୀ । ବିଶ୍ବ ବ୍ୟାଙ୍କ ଅନୁସାରେ, 2019ରେ ଭାରତୀୟଙ୍କ ହାରାହାରି ଆୟୁଷ ହେଉଛି 69.7 ବର୍ଷ । ଯାହାକି 1980 ତୁଳନାରେ ପାଖାପାଖି 15 ବର୍ଷ ଅଧିକ । ଏହାର ଅର୍ଥ ସାଧାରଣ ଲୋକଟିଏ ପାଇଁ କର୍ମକ୍ଷେତ୍ରରୁ ଅବସର ପରେ ଲମ୍ବା ଜୀବନ ବିତାଇବାର ସୁଯୋଗ ରହିଛି । ତେଣୁ ନିଜ ଅବସର ଜୀବନକୁ ଉପଭୋଗ କରିବା ପାଇଁ ଆର୍ଥିକ ଯୋଜନା ନିତାନ୍ତ ଜରୁରୀ ।
ଯୋଜନା ଆରମ୍ଭ କରନ୍ତୁ (Start with the plan) : ଆମେ ସାଧାରଣତଃ କୌଣସି ଯାତ୍ରା ପୂର୍ବରୁ ନିଜ ପ୍ଲାନ ଚେକ୍ କରିଥାଉ । ଠିକ୍ ସେହି ନିୟମ ନିଜ ଆର୍ଥିକ ପ୍ରସଙ୍ଗରେ ଆପଣାନ୍ତୁ । ମନେରଖିବା ଉଚିତ୍ ଯେ, ଆମେ ଯେଉଁ ଯୋଜନା ପ୍ରସ୍ତୁତ କରିଛୁ ସେଥିରେ ସମୟ ସମୟରେ ସଂଶୋଧନ କରିବା ଆବଶ୍ୟକ । ହୁଏତ ବର୍ତ୍ତମାନ ଆପଣ କରିଥିବା ପ୍ଲାନ 10 ବର୍ଷ ପରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । ଏହାର କାରଣ ଦାରଦାମ ବୃଦ୍ଧି, ମୁଦ୍ରାସ୍ଫୀତି, ଆବଶ୍ୟକତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି । ତେଣୁ ଆପଣ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛନ୍ତି ଏବଂ ଭବିଷ୍ୟତରେ ଏହା କିପରି ହୋଇପାରେ ତାହା ଚିନ୍ତା କରନ୍ତୁ । ସେହି ଅନୁସାରେ ନିଜ ସଞ୍ଚୟ କରନ୍ତୁ । ଅବସର ଯୋଜନା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା, ଯଦି ଏହାକୁ ଆପଣ ଅଧାରୁ ବନ୍ଦ କରୁଛନ୍ତି ତେବେ ଭବିଷ୍ୟତରେ ଖୁବ୍ ଅସୁବିଧା ସୃଷ୍ଟି ହୋଇପାରେ ।
ଉନ୍ନତ ଜୀବନଶୈଳୀ ପାଇଁ...( To adapt to the lifestyle ): ଆପଣ ଅବସର ପରେ କେଉଁଭଳି ଜୀବନ ଚାହାଁନ୍ତି ? ଅବସର ପରେ ନିଜ ଘରେ ନା ଭଡା ଘରେ ରହିବେ ? ପ୍ରଥମେ ଏହିଭଳି କିଛି ପ୍ରଶ୍ନର ଉତ୍ତର ନିଜ କର୍ମଜୀବନ ସମୟରେ ଖୋଜିବା ଉଚିତ୍ । ଆପଣଙ୍କ ଅବସର ସମୟ ନିକଟତର ହେଉଥିବାବେଳେ ଉପରୋକ୍ତ ଇଚ୍ଛାଗୁଡିକୁ ପୁରା କରିବା ପାଇଁ କଣ କଣ କରିପାରିବେ ତାହା ଚିନ୍ତା କରନ୍ତୁ । ପ୍ରଥମେ ନିଜ ବାସଗୃହ, ଖାଦ୍ୟ ଓ ମେଡିକାଲ ଖର୍ଚ୍ଚ ଓ ଜୀବନ ସହ ଜଡିତ ଅନ୍ୟାନ୍ୟ ଖର୍ଚ୍ଚର ହିସାବ କରନ୍ତୁ । ଖର୍ଚ୍ଚ ଆଧାରରେ ଭବିଷ୍ୟତ ପାଇଁ ନିବେଶ ଆରମ୍ଭ କରନ୍ତୁ । ଖର୍ଚ୍ଚ ଆକଳନ କରୁଥିବାବେଳେ ଭବିଷ୍ୟତରେ ବୃଦ୍ଧି ପାଇବାକୁ ଥିବା ଦରଦାମ ପ୍ରସଙ୍ଗକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଯଦି ଭାବୁଛନ୍ତି କି ଆପଣଙ୍କ ନିକଟରେ ଅବସର ପାଇଁ ଆହୁରି 5 ବର୍ଷ ରହିଛି, ବର୍ତ୍ତମାନର ମାସିକ ଖର୍ଚ୍ଚ ଏବଂ 5 ବର୍ଷ ପରେ ଏହା କେତେ ହେବ ତାହା ହିସାବ କରନ୍ତୁ । ସେହି ହିସାବରେ ସଞ୍ଚୟ କରନ୍ତୁ ଏବଂ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରନ୍ତୁ ।